ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରକୁ ବୋମାମାଡ଼ କରି ଉଡ଼ାଇଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଘଟଣାରେ ପୁରୀ ସିଂହଦ୍ୱାର ଥାନା ପୋଲିସ ଅଭିଯୁକ୍ତ ପ୍ରତୀକ ମିଶ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣେ ଯୁବତୀଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଏଭଳି ଧମକପୂର୍ଣ୍ଣ ପୋଷ୍ଟ କରିଥିବା ପୋଲିସ କହିଛି।ତଦନ୍ତରୁ ଜଣାପଡ଼ିଛି ଯେ ପ୍ରେମରେ ବିଫଳ ହେବା ପରେ ପ୍ରତୀକ ଏହି ଭୁଲ୍ ବାଟ ଚୟନ କରିଥିଲେ।
ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିବା ସତ୍ତ୍ୱେ ସେ ଅସ୍ଵୀକାର କରିବାରୁ ତାଙ୍କ ନାମରେ ଏକ ଫେସବୁକ୍ ଆକାଉଣ୍ଟ ସୃଷ୍ଟି କରି ଶ୍ରୀମନ୍ଦିରରେ ବୋମାମାଡ଼ କରିବା ଧମକ ପୋଷ୍ଟ କରିଥିଲେ।ଏହା ସହିତ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଧମକ ଓ ଗ୍ରାଣ୍ଡ ସେଣ୍ଟରରେ ଗୁଳିମାଡ଼ ହେବା ସମ୍ପର୍କିତ ପୋଷ୍ଟ ମଧ୍ୟ କରିଥିବା ସୂଚନା ମିଳିଛି।ଘଟଣା ପରେ ପୁରୀ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।
କିଏ, କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଧମକ ଦେଇଥିଲା ତାହା ଜାଣିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜୋରଦାର କରାଯାଇଥିଲା। ଶେଷରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଭୁଲ୍ ଓ ଧମକପୂର୍ଣ୍ଣ ପୋଷ୍ଟ କରିବାର ପରିଣାମ କେତେ ଗମ୍ଭୀର ହୋଇପାରେ, ସେଥିପାଇଁ ପୋଲିସ ପୁଣିଥରେ ସଚେତନତା ଜାରି କରିଛି।

