ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ମାର୍ଗଶିର ମାସର କୃଷ୍ଣ ନବମୀ ତିଥିରେ ଏହି ପାରମ୍ପରିକ ନୀତି ପାଳିତ ହୋଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ଗୁପ୍ତନୀତି ଆରମ୍ଭ ହେବ।ମନ୍ଦିର ପ୍ରଶାସନ ଉତ୍ସ ଅନୁଯାୟୀ, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଏହି ସମୟରେ ରତ୍ନବେଦୀ ଭିତରେ ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ସଂପନ୍ନ କରିବେ।ପାରମ୍ପରିକ ରୀତି ଅନୁସାରେ, ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ମାଧ୍ୟମରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହର ଚମକ ଓ ଦିବ୍ୟ ରୂପ ନବୀନ ରୂପେ ଉଜ୍ଜ୍ୱଳ ହେବ।
ବନକଲାଗି ନୀତି ସମାପ୍ତ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ ଓ ତାହା ପରେ ପୁଣି ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ଏହି ପବିତ୍ର ନୀତିକୁ ନେଇ ଶ୍ରୀମନ୍ଦିର ପରିସରରେ ଆଜି ଭକ୍ତମାନଙ୍କ ଭିଡ଼ ଲକ୍ଷ୍ୟ କରାଯାଉଛି। ଶ୍ରୀଜଗନ୍ନାଥଙ୍କ ଏହି ଅନୁଷ୍ଠାନ ଦେଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀ ପହଞ୍ଚିଛନ୍ତି।

