ନ୍ୟୁଜ ଡେକ୍ସ: ଆଜି ମକର ସଂକ୍ରାନ୍ତି। ଇଷ୍ଟଦେବୀଙ୍କ ଠାରେ ଲାଗି ହେବା ପରେ ଘରେ ଘରେ ଲୋକ ମକର ଚାଉଳ ଖାଇବେ। ନୂତନ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରିବେ। ଏହାପରେ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହ ମିଠା ଖାଇବାର ପରମ୍ପରା ରହିଛି। ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ।
ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର, ଗୋଲମରିଚ ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ଏହି ମକର ଚାଉଳକୁ ସୂର୍ଯ୍ୟଙ୍କୁ ଅର୍ପଣକ କରାଯାଏ ଏବଂ ଠାକୁରଙ୍କ ପାଖରେ ଲାଗି ହେବା ପରେ ଏହାକୁ ସମସ୍ତେ ସେବନ କରିଥା’ନ୍ତି। ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମକରଯାତ୍ରାର ଆୟୋଜିତ ହୋଇଥାଏ। ସୋମବାର ଅଲାମଚଣ୍ଡୀଙ୍କ ମନ୍ଦିରରୁ ମକର ତାଡ଼ ଆସି ଶ୍ରୀମନ୍ଦିରରେ ପହଞ୍ଚିଛି । ଏଥିସହ ବଡ଼ଦେଉଳରେ ଚାଉଳ ମେଲାଣ ତଥା ମକର ଅଧିବାସ ନୀତି ଅନୁଷ୍ଠିତ ହୋଇଛି ।ସନ୍ଧ୍ୟାଧୂପ ପରେ ଚନ୍ଦନଲାଗି ସରିବାରେ ଚାଉଳ ମେଲାଣ ଓ ଅଧିବାସ ନୀତି ହୋଇଥିଲା । ପର୍ବ ଦିନ ମହାପ୍ରଭୁଙ୍କ ଅବକାଶ ନୀତି ବଢ଼ି ମହାପ୍ରଭୁଙ୍କ ବେଶ ହେବ । ସକାଳ ଧୂପ ସରି ମହାସ୍ନାନ ନୀତି ସମ୍ପନ୍ନ ହେବ ।
ଠାକୁରେ ନୂଆ ଲୁଗା, ଚୂଳମାଳ ଓ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇ ସ୍ୱତନ୍ତ୍ର ବେଶରେ ବିଭୂଷିତ ହେବେ ।ଦ୍ୱିପହର ଧୂପରେ ରୋଷ ଘରୁ ଘଣ୍ଟା, ଛତି ଓ କାହାଳୀର ପଟୁଆରରେ ଯାତ୍ରା ଭୋଗ ଆସିବ । ଷୋଡ଼ଶ ଉପଚାରରେ ଶ୍ରୀବିଗ୍ରହଙ୍କୁ ମଣୋହି କରାଯିବ । ନୂଆ ଅରୁଆଚାଉଳରେ ଖୁଆ, ସର, ଛେନା, କଦଳୀ, ପିସ୍ତାବାଦାମ, ଖିସମିସ, ଆଖୁଖଣ୍ଡ ଓ ବେଦେନା ପକାଇ ମକର ଚାଉଳ ପ୍ରସ୍ତୁତ କରି ଧନୁମୁଆଁ ଠାକୁରଙ୍କୁ ଭୋଗ ଲଗାଯିବ । ଘଣ୍ଟଛତା ସହ ମକର ବେଢ଼ା, ଭୋଗ ଓ ବନ୍ଦାପନା ହେବ।
