ନ୍ୟୁଜ ଡେକ୍ସ : ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠିଛି। ଶୁକ୍ରବାର ଦିନ ମନ୍ଦିର ପରିସରରେ ଘଟିଥିବା ଦୁଇଟି ଭିନ୍ନ ଘଟଣା ନେଇ ଆତଙ୍କ ଓ ଚିନ୍ତା ଦେଖାଦେଇଛି।ପ୍ରଥମ ଘଟଣାରେ, ଯାଜପୁର ଜିଲ୍ଲାର ଶଙ୍କର ମିଶ୍ର ନାମକ ଜଣେ ଭକ୍ତ ଗୋପାଳ ବଲ୍ଲଭ ପୂଜା ପରେ ସେବକ ବେଶରେ ଗର୍ଭଗୃହ ଭିତରକୁ ପ୍ରବେଶ କରି ରତ୍ନ ସିଂହାସନକୁ ସ୍ପର୍ଶ କରିଥିଲେ।
ଘଟଣା ଧ୍ୟାନରେ ଆସିବା ପରେ ମନ୍ଦିର ପୋଲିସ ତାଙ୍କୁ ଅଟକ କରିଥିଲା ଏବଂ ପରେ ପଚରାଉଚରା ପାଇଁ ସିଂହଦ୍ୱାର ଥାନାକୁ ନିଆଯାଇଥିଲା।ଦ୍ୱିତୀୟ ଘଟଣାରେ, ଗୁଜରାଟର ଅହମ୍ମଦାବାଦର ଭାରତ ପାଣ୍ଡ୍ୟା ନାମକ ୫୫ ବର୍ଷୀୟ ଭକ୍ତ ଗୁପ୍ତ କ୍ୟାମେରା ଲାଗିଥିବା ଚଷମା ପିନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ।
ମନ୍ଦିର ସୁରକ୍ଷା କର୍ମୀମାନେ ତାଙ୍କ ଆଚରଣ ଉପରେ ସନ୍ଦେହ କରି ତାଙ୍କୁ ଜଗମୋହନ ନିକଟରେ ଅଟକ କରିଥିଲେ। ପରେ ତାଙ୍କ ଫୋନ୍ ଓ ଗୁପ୍ତ କ୍ୟାମେରା ସିଂହଦ୍ୱାର ପୋଲିସ ଜବତ କରିଛି।’ଅହମ୍ମଦାବାଦର ୫୫ ବର୍ଷୀୟ ଭକ୍ତଙ୍କ ଆଚରଣରେ ସନ୍ଦେହ ହେବାରୁ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ଫୋନ୍ ଏବଂ କ୍ୟାମେରା ସିଂହଦ୍ୱାର ପୋଲିସ ଜବତ କରିଛି’ ବୋଲି ପୁରୀ ଏସ୍ପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

