ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିର ମଧ୍ୟରେ କେବଳ ଓମ୍ଫେଡ ଘିଅ ବ୍ୟବହାର ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ତେବେ ଏଥିରେ ସହଯୋଗ କରିବାକୁ ଓମ୍ଫେଡ୍କୁ ଅନୁରୋଧ କରାଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ଡିପୋ ଖୋଲିବା ଲାଗି ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପଠାଇଥିବା ପତ୍ରରେ ଲେଖିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମ୍ଫେଡ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ଏନେଇ ସମ୍ପୃକ୍ତ ନିଯୋଗଗୁଡ଼ିକ ସହ ଆଲୋଚନା ହୋଇଥିବାବେଳେ ସହମତି ପ୍ରକାଶ ପାଇଛି। ତେଣୁ ଶ୍ରୀମନ୍ଦିରରେ ଓମ୍ଫେଡ଼ ଘିଅର ଆବଶ୍ୟକତାକୁ ନଜରରେ ଯଥେଷ୍ଟ ଘିଅ ମହଜୁଦ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉ। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମିଶ୍ରିତ ଘିଅ ବ୍ୟବହାରକୁ ରୋକାଯାଇ ପାରିବ। ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ ।
ଖୁବ୍ ଶୀଘ୍ର ଏଭଳି ଏକ ଯୋଜନା ଆରମ୍ଭ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ବର୍ଷକୁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବା ଆକଳନ କରାଯାଉଛି । ଏହି ଯୋଜନା ଲାଗି ବଦାନ୍ୟ ଭକ୍ତମାନଙ୍କୁ ଦାନ ପାଇଁ ଅପିଲ୍ କରିଛନ୍ତି ଆଇନ ମନ୍ତ୍ରୀ । କିନ୍ତୁ ଭକ୍ତଙ୍କ ଦାନରେ ଯୋଜନା କାର୍ଯ୍ୟକାରୀ କରାଗଲେ ତାହା ସଫଳ ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛି ସୁଆର ମହାସୁଆର ନିଯୋଗ ।