ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମନ୍ୱୟ ବୈଠକ ସଫଳତାର ସହିତ ଆୟୋଜିତ ହୋଇ ସମାପ୍ତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ବୈଠକରେ ଯୋଗଦେଇଥିବା ୫ ଜଣ ପ୍ରମୁଖ ପଞ୍ଜିକାର କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ ଏବଂ ଜିଏନ୍ ତ୍ରୀପାଠୀ ତାଙ୍କର ପାଣ୍ଡୁଲିପିଗୁଡ଼ିକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ।
ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ସମସ୍ତ ପର୍ବପର୍ବାଣି, ନୀତିକାନ୍ତି ଓ ଯାନିଯାତ୍ରା ସଠିକ୍ ଏବଂ ନିର୍ଭୁଲ ରହିବା ପାଇଁ ସମନ୍ୱୟ ଆବଶ୍ୟକ। ଗତ କିଛି ବର୍ଷ ଧରି ପଞ୍ଜିକା ମଧ୍ୟରେ ତାରିଖ ଭିନ୍ନତା ହେତୁ ଯେପରି ଭ୍ରମ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ତାହାକୁ ଦୂର କରିବାକୁ ଏହି ପଦକ୍ଷେପ ନିଆଯାଇଛି।ବିଶେଷକରି ୨୦୨୫ ମସିହାରେ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ମହାଶିବରାତ୍ରି ଓ ଜନ୍ମାଷ୍ଟମୀ ପର୍ବକୁ ନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଅସମ୍ମନ୍ଜସ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଏବେ ଶ୍ରୀମନ୍ଦିର ପ୍ରଶାସନ ୨୦୨୭ ମସିହାର ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ସମସ୍ତ ଯାନିଯାତ୍ରା ଓ ପର୍ବପର୍ବାଣିର ସଂପୂର୍ଣ୍ଣ ସୂଚୀ ପ୍ରସ୍ତୁତ କରିଛି।ମହାବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଓ ଯାନିଯାତ୍ରା ସମୟସୂଚୀ ସଠିକ୍ ଭାବରେ ପଞ୍ଜିକାରେ ପ୍ରକାଶ ପାଇବାକୁ ସମସ୍ତ ୫ ଜଣ ପଞ୍ଜିକାରଙ୍କୁ ଅନୁରୋଧ କରାଯାଇଛି।
କୌଣସି ପ୍ରକାର ତ୍ରୁଟି ଯେପରି ନ ରହେ, ସେଥିପାଇଁ ସମନ୍ୱୟ ଓ ନିର୍ଭୁଲ ତଥ୍ୟ ପ୍ରଦାନ ଉପରେ ଜୋର ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଏହି ପଦକ୍ଷେପ ଭକ୍ତମାନଙ୍କ ପାଇଁ ବଡ଼ ସ୍ୱସ୍ତିର ଖବର ଭାବେ ଦେଖାଯାଉଛି, କାରଣ ଏହା ଦ୍ୱାରା ଆଗାମୀ ବର୍ଷଗୁଡ଼ିକରେ ପର୍ବପର୍ବାଣି ଓ ଯାନିଯାତ୍ରା ସମ୍ପର୍କରେ କୌଣସି ଭ୍ରମ ରହିବ ନାହିଁ ଏବଂ ସମସ୍ତେ ଏକ ନିର୍ଭରଯୋଗ୍ୟ ପଞ୍ଜିକାକୁ ଅନୁସରଣ କରିପାରିବେ।

