ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ପରିଚାଳନା କମିଟି ବୈଠକରେ ମନ୍ଦିର ପରିଚାଳନା, ସେବାୟତ ଶାସନ ଓ ଭକ୍ତ ସୁବିଧା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ବୈଠକରେ ଆଦର୍ଶ ଗୁରୁକୁଳ ସ୍ଥାପନ ପାଇଁ ନୂଆ ସଂସ୍ଥା ସହ ବୁଝାମଣା କରାଯିବାକୁ ସମ୍ମତି ମିଳିଛି।
ମାଟିତୋଟା ଅଞ୍ଚଳରେ ଚିହ୍ନଟ ୧୭ ଏକର ଜମିରେ ଏହି ଗୁରୁକୁଳ ନିର୍ମାଣ ହେବ। ଏହା ସହ ରତ୍ନଭଣ୍ଡାରର ଗଣତି–ମଣତି ପାଇଁ ପ୍ରସ୍ତୁତ ଚିଠା ମାର୍ଗଦର୍ଶିକାକୁ କମିଟି ଅନୁମୋଦନ କରି ସରକାରୀ ମୋହର ପାଇଁ ପଠାଇବା ନିଷ୍ପତ୍ତି ନେଇଛି, ଯଦିଓ ଗଣତିର ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ।ସେହିଭଳି ଗୁଣ୍ଡିଚା ମନ୍ଦିର ଖୋଲିବା ତିଥି ନେଇ ମଧ୍ୟ ଏଯାଏଁ ନିଷ୍ପତ୍ତି ହୋଇନି। ପରିଚାଳନା କମିଟିର ସେବାୟତ ସଦସ୍ୟମାନେ ପରିଦର୍ଶନ କରିବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀଜଗନ୍ନାଥଙ୍କ ଜମିରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାର ବେଞ୍ଚ ଭାଲ୍ୟୁ ଅନୁଯାୟୀ ୩୫ କୋଟି ଟଙ୍କା ପ୍ରଦାନ କରିବେ। ଏହା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବାକୁ କମିଟି ନିଷ୍ପତ୍ତି ନେଇଛି।
ଭକ୍ତ ନିବାସର ପାର୍କିଂ ଫି ୫ଶହ ଟଙ୍କା ଧାର୍ଯ୍ୟ ପରେ ଉଠିଥିବା ବିରୋଧକୁ ଧ୍ୟାନରେ ରଖି ଏହାକୁ କମାଇ ୨୪୦ ଟଙ୍କା କରାଯାଇଛି। ସିଂହଦ୍ବାର ଗୁମୁଟ ମରାମତି ସମୟରେ ଦଶାବତାର ମୂର୍ତ୍ତି ସଂସ୍ଥାପନ ନେଇ ହୋଇଥିବା ବିବାଦର ସମାଧାନ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବାକୁ ନିଷ୍ପତ୍ତି ହୋଇଛି।ଏଣିକି ସେବାୟତମାନଙ୍କ ପାଇଁ ମୋବାଇଲ ବ୍ୟବହାର ଉପରେ କଡା କଟକଣା ଲାଗୁ ହେବ। ଖୋଲାମେଲାରେ ମୋବାଇଲ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉତ୍ତୋଳନ ଉପରେ ଦଣ୍ଡ କଡାକଡି କରିବା ପାଇଁ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଆଣିବାକୁ କମିଟି ସମ୍ମତି ଦେଇଛି।

