ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍କମିଟି ପକ୍ଷରୁ ଅନୁମୋଦନ ମିଳିଛି। ଏହି ନୀତି ଅନୁଯାୟୀ ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ଶ୍ରୀମନ୍ଦିରର ଦ୍ଵାରଫିଟା କରାଯିବ।ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସେବାୟତମାନେ ସବ୍କମିଟି ଗଠନ କରିବେ।
ବିଶେଷ କରି ପୁରୀବାସିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ଆୟୋଜିତ ବୈଠକରେ ଆଲୋଚନା ହୋଇଛି। ପ୍ରଶାସନ, ସେବାୟତ ଓ ସ୍ୱେଛାସେବୀଙ୍କ ସହଯୋଗରେ ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରିବା ନେଇ ବିଚାର-ବିମର୍ଶ କରାଯାଇଛି।ଦିବ୍ୟାଙ୍ଗ ଦର୍ଶନ ପାଇଁ ଏକ ଚିଠା ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି, ଯାହାକୁ ନୀତି ସବ୍କମିଟି ଓ ଛତିଶା ନିଯୋଗ ଦ୍ୱାରା ନୀତିଗତ ଭାବେ ଗୃହୀତ କରାଯାଇଛି। ଏହା ସହ ଆୟୋଜିତ ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ।
ସଂପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟ ସମାପ୍ତ ପରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।ଦିବ୍ୟାଙ୍ଗ, ବୟସ୍କ ଓ ଶିଶୁମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା ଲାଗୁ ହେବ ନାହିଁ। ଏଥିପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ। ଏହା ସହ ରତ୍ନ ଭଣ୍ଡାର ସମ୍ପର୍କିତ ଏକ ଚିଠା ଏସଓପି ମଧ୍ୟ ପ୍ରସ୍ତୁତ ହୋଇଛି। ଏହି ଏସଓପିକୁ ହାଇ ଲେବୁଲ କମିଟିରେ ଉପସ୍ଥାପନ କରାଯିବ ଏବଂ ପରେ ପରିଚାଳନା କମିଟିର ଆଲୋଚନା ପରେ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ।

