ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିର ସଂଲଗ୍ନ ଭକ୍ତନିବାସଗୁଡ଼ିକରେ ଗାଡ଼ି ପାର୍କିଂକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି। ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି, ଭକ୍ତନିବାସରେ ରହୁଥିବା ଯେଉଁ ଭକ୍ତମାନେ ଚାରିଚକିଆ ଗାଡ଼ି ନେଇ ଆସୁଛନ୍ତି, ସେମାନଙ୍କୁ ୨୪ ଘଣ୍ଟା ପାଇଁ ୫୦୦ ଟଙ୍କା ପାର୍କିଂ ଫି ଦେବାକୁ ପଡ଼ିବ।
ଅଧିକାଂଶ ଭକ୍ତ ବାହାରୁ ଆସି ଗାଡ଼ି ନ ଆଣୁଥିବାରୁ ଏହି ନିୟମ କେବଳ ଚାରିଚକିଆ ଯାନ ନେଇ ଆସୁଥିବା ଭକ୍ତଙ୍କ ପାଇଁ ଲାଗୁ ହେବ। ଭକ୍ତନିବାସରେ ରହୁନଥିବା ବାହାର ଲୋକଙ୍କୁ ପାର୍କିଂ କରିବାକୁ ଅନୁମତି ମିଳିବ ନାହିଁ।ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ପୁରୀର ଅନ୍ୟାନ୍ୟ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଯାତ୍ରୀମାନେ ଗାଡ଼ି ରଖିପାରୁଛନ୍ତି।
ଭକ୍ତମାନେ ଚାହିଁଲେ ସେଠାରେ ଗାଡ଼ି ରଖି ଭକ୍ତନିବାସରେ ରହିବାର ସୁବିଧା ନେଇପାରିବେ।ସୂଚନାଅନୁସାରେ, ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତନିବାସରେ ପ୍ରଥମ ଥର ପାଇଁ ଏହି ପାର୍କିଂ ଶୁଳ୍କ ବ୍ୟବସ୍ଥା ଲାଗୁ ହୋଇଛି। ନିର୍ଦ୍ଧାରିତ ୫୦୦ ଟଙ୍କା ଶୁଳ୍କରେ ୧୮ ପ୍ରତିଶତ GST ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

