ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ ଥିବା ସତ୍ତେ ମଧ୍ୟ ଆଉଥରେ ଏହି ନିୟମ ଉଲ୍ଲଂଘନ ହୋଇଛି। ମଙ୍ଗଳବାର ଦିନ ମନ୍ଦିର ଭିତରେ ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ପୋଲିସ ଅଟକ କରିଛି।ସୂଚନା ଅନୁଯାୟୀ, ସେହି ଗୁମାସ୍ତା ଜଣେ ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ ମନ୍ଦିର ଭିତରକୁ ନେଇଥିଲେ।
ପ୍ରତିହାରୀ ନିଯୋଗ ନିକଟରେ ସେ ଯାତ୍ରୀଙ୍କ ଫଟୋ ଉଠାଉଥିବା ସମୟରେ ସେବାୟତମାନଙ୍କ ଦୃଷ୍ଟିରେ ପଡ଼ିଯାଇଥିଲେ। ସେବାୟତମାନେ ତାଙ୍କୁ ବାରଣ କରି ସିଂହଦ୍ୱାର ପୋଲିସ ଥାନାକୁ ସୂଚନା ଦେଇଥିଲେ।ପୋଲିସ ତତ୍କ୍ଷଣାତ୍ ସ୍ଥଳରେ ପହଞ୍ଚି ଗୁମାସ୍ତାଙ୍କୁ ଅଟକ କରି ଜେରା ଆରମ୍ଭ କରିଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ, ପୋଲିସ ତାହା ଖୋଜିବାରେ ଲାଗିଛି।
ସିଂହଦ୍ୱାର ଥାନା ସୂତ୍ର ଜଣାଇଛି ଯେ, ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଓ ଫଟୋଗ୍ରାଫି ସଂପୂର୍ଣ୍ଣ ନିଷେଧ ଥିଲେ ମଧ୍ୟ କେତେକ ଲୋକ ନିୟମ ଉଲ୍ଲଂଘନ କରୁଛନ୍ତି। ଏହି ଘଟଣା ପରେ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ଉପରେ ଜୋର ଦିଆଯାଇଛି।
