ନ୍ୟୁଜ ଡେକ୍ସ :ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ଗୁରୁବାର ପବିତ୍ର ଫଗୁ ଦଶମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଫଗୁ ଲାଗି କରାଯିବା ସହ ଆରମ୍ଭ ହେବ ଭୋଗଖିଆ ପର୍ବ। ଏହି ପର୍ବ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟସୀମାରେ ମହାପ୍ରଭୁ ବିଭିନ୍ନ ମନ୍ଦିର ଓ ସାହି ବୁଲି ଭୋଗ ଗ୍ରହଣ କରିବେ। ଦୋଳବିମାନରେ ପ୍ରଭୁ ପରିଭ୍ରମଣ କରିବା ସମୟରେ ସବୁଠି ଫଗୁ ଲାଗି କରାଯିବ।ଏନେଇ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମୋକ୍ଷ ପରେ ରାତି ୮ଟାରେ ମହାପ୍ରଭୁ ଦୋଳମଣ୍ଡପକୁ ବିଜେ କରିବେ ଏବଂ ରାତି ୧୨ଟା ସୁଦ୍ଧା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏଥିପାଇଁ ଦୋଳମଣ୍ଡପରେ ରଙ୍ଗ କାମ ସହ ଆକର୍ଷଣୀୟ ଆଲୋକ ବ୍ୟବସ୍ଥା କରାଯିବ। ପ୍ରତ୍ୟାବର୍ତ୍ତନ ସମୟରେ ବଚନିକା କାର୍ଯ୍ୟକ୍ରମରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶଗ୍ରହଣ କରିବେ।ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ବେଳେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଏହା ସୂଚନା ଦେଇଛନ୍ତି। ଫଗୁ ଦଶମୀ ଅବସରରେ ଶ୍ରୀଲିଙ୍ଗରାଜଙ୍କ ସହ ମନ୍ଦିରରେ ପୂଜା ପାଉଥିବା ସମସ୍ତ ଦେବଦେବୀଙ୍କୁ ମଧ୍ୟ ଫଗୁ ଲାଗି କରାଯିବ।ଆସନ୍ତା ଶୁକ୍ରବାରଠାରୁ ମହାପ୍ରଭୁ ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀବସୁଦେବଙ୍କ ସହ ବିଭିନ୍ନ ସ୍ଥାନକୁ ଭୋଗ ଖାଇବାକୁ ବିଜେ କରିବେ।
ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ଭଣ୍ଡାରଘରୁ ଅଣାଯାଇ ପାଲିଙ୍କି ଓ ବିମାନରେ ବିରାଜମାନ କରାଯିବ ଏବଂ ବିଭିନ୍ନ ସ୍ଥାନରେ ଫଗୁ ଲାଗି କରାଯିବ।ଶୁକ୍ରବାର ଏକାଦଶୀ ତିଥିରେ ମହାପ୍ରଭୁ ବଢ଼େଇବାଙ୍କ ନିକଟ ବଡ଼ମଠରେ ପୂଜା ପାଉଥିବା ମା’ କାମାକ୍ଷା ଠାକୁରାଣୀଙ୍କ ପାଖକୁ ବିଜେ କରିବେ। ଶନିବାର ଦ୍ୱାଦଶୀରେ ତିନିମୁଣ୍ଡିଆ ଛକ ନିକଟ କପାଳୀ ଠାକୁରାଣୀଙ୍କ ମନ୍ଦିରକୁ ଯିବେ। ରବିବାର ତ୍ରୟୋଦଶୀରେ ପରକରଣସାହି ଜମ୍ଭେଶ୍ୱର ମନ୍ଦିର ନିକଟରେ ବିଜେ କରିବେ। ସୋମବାର ଚତୁର୍ଦ୍ଦଶୀ ତିଥିରେ ବାଟକୂଅ ମୁହଁ ବଡ଼ୁସାହିକୁ ଭୋଗ ଗ୍ରହଣ ପାଇଁ ଯିବେ ଏବଂ ବାଟରେ ମହାଖଳା ନିକଟରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହେବ।ମଙ୍ଗଳବାର ଦୋଳ ପୂର୍ଣ୍ଣିମାରେ ରଥଖଳାଠାରେ ମହାପ୍ରଭୁ ସର୍ବସାଧାରଣଙ୍କ ଭୋଗ ଖାଇବେ। ସେଠାରେ ଦୋଳିରେ ଝୁଲୁଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ଫଗୁ ଲାଗି କରି ଆଶୀର୍ବାଦ ନେବେ।

