ନ୍ୟୁଜ ଡେକ୍ସ : ସଞ୍ଜୁ ସାମସନଙ୍କ ସ୍ମରଣୀୟ ଇନିଂସ ବଳରେ ଭାରତ ଜାତୀୟ କ୍ରିକେଟ ଦଳ ୫ ୱିକେଟରେ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ପରାଜିତ କରି ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୪ ୱିକେଟ ହାରାଇ ୧୯୫ ରନ କରିଥିଲା। ରୋଷ୍ଠନ ଚେଜ ୪୦ ରନ ଓ ଜାସନ ହୋଲ୍ଡର ଅପରାଜିତ ୩୭ ରନ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୨ଟି ୱିକେଟ ନେଇଥିଲେ।
୧୯୬ ରନର ଲକ୍ଷ୍ୟ ପିଛା କରିବାକୁ ନାମିଥିବା ଭାରତ ଆରମ୍ଭରୁ ଝଟକା ଖାଇଥିଲା। ଓପନର ଅଭିଷେକ ଶର୍ମା ଓ ଈଶାନ କିଶାନ ୧୦ ରନ ଲେଖାଏଁ କରି ପେଭିଲିୟନ ଫେରିଥିଲେ। କିନ୍ତୁ ସଞ୍ଜୁ ଗୋଟିଏ ପଟେ କ୍ରିଜରେ ଦୃଢ଼ ହୋଇ ରହି ବିଜୟର ଭିତି ଗଢ଼ିଥିଲେ।ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ୩୫ ବଲରେ ୫୮ ରନ, ତିଳକ ବର୍ମାଙ୍କ ସହ ୪୨ ରନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୩୮ ରନ ଓ ଶିବମ ଦୁବେଙ୍କ ସହ ଅପରାଜିତ ୨୦ ରନର ସାଥିଗିରି କରିଥିଲେ। ସଞ୍ଜୁ ୫୦ ବଲରେ ୧୨ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ୯୭ ରନ କରିଥିଲେ।
ୱେଷ୍ଟଇଣ୍ଡିଜ ପକ୍ଷରୁ ଜାସନ ହୋଲ୍ଡର ଓ ଶେମର ଜୋସେଫ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏହି ପ୍ରଭାବୀ ପ୍ରଦର୍ଶନ ପାଇଁ ସଞ୍ଜୁଙ୍କୁ ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।ଭାରତ ପାଇଁ ଏହି ମ୍ୟାଚ କ୍ୱାର୍ଟରଫାଇନାଲ ସଦୃଶ ଥିଲା। ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଦଳ ଓ ନ୍ୟୁଜିଲାଣ୍ଡ ଜାତୀୟ କ୍ରିକେଟ ଦଳ ମୁକାବିଲା କରିବେ। ଦ୍ୱିତୀୟ ସେମିଫାଇନାଲରେ ଭାରତର ସମ୍ମୁଖୀନ ହେବ ଇଂଲଣ୍ଡ ଜାତୀୟ କ୍ରିକେଟ ଦଳ।

