ନ୍ୟୁଜ ଡେକ୍ସ : ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶେଷରେ ବିଜେପିରେ ଯୋଗ ଦେଇ ସବୁ କଳ୍ପନା ଓ ଜଳ୍ପନାର ଅନ୍ତ ଘଟାଇଛନ୍ତି।ଶନିବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଭବ୍ୟ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।
ଶତାଧିକ ସମର୍ଥକଙ୍କ ସହ ଜୟ ଢୋଲକିଆ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସହିତ ବସନ୍ତ ପଣ୍ଡା ଓ ସୁରେଶ ପୂଜାରୀ ଭଳି ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ପାର୍ଟି ଅଫିସ୍ରେ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର ଥିଲା।
ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା।ଗୋଟିଏ ପଟେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି କି ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ବିଳମ୍ବ ହେଉଥିବାରୁ ବିଜେପି ଓ ବିଜେଡି ପ୍ରାର୍ଥୀ କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସେଥିପାଇଁ ଜୟ ଢୋଲକିଆ ଏବେ ଫୋକସ୍ରେ ରହିଛନ୍ତି । ବିଜେପିରେ ମିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଜୟ ଢୋଲକିଆ ।
