ନ୍ୟୁଜ ଡେକ୍ସ: ସବୁ ଜିଲ୍ଲାରେ ହେବ ଡେ କେୟାର ସେଣ୍ଟର । ଏନେଇ ଗୃହରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ସହ କେମୋଥେରାପି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି |
ଠିକ୍ ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ସୁପାରିଶ କରାଯାଇଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ୫୨୪୮ ଏମବିବିଏସ ଡାକ୍ତର ପଦ ସହିତ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ପୂରଣ ହେବ । ଚଳିତ ବର୍ଷ ସବୁ ଜିଲ୍ଲା ହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ । ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ।
ଏଥିପାଇଁ ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି । ସାଟେଲାଇଟ ସେଣ୍ଟରରେ ଦଶଟି ଅବଜରଭେସନ ବେଡ଼ ରହିବ । ଜିଲ୍ଲା ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ଲାଗି କ୍ୟାମ୍ପସରେ ୨୪ଘଣ୍ଟା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
