ନ୍ୟୁଜ ଡେକ୍ସ: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ ବୃଦ୍ଧା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ସୈରେନ୍ଦ୍ରି ଜୀବନ୍ତ ଦଗ୍ଧ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ସମ୍ପତ୍ତି ପାଇଁ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି।
୨ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିବ ପୋଲିସ। ସମ୍ପତ୍ତି ପାଇଁ ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ ଭଉଣୀ। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି। ସେହ୍ନଲତା ଦୀକ୍ଷିତ ଓ ତାଙ୍କ ଝିଅ ଘରେ ଥିବାବେଳେ ଜଗନ୍ନାଥ ଓ ତାଙ୍କ ପୁଅ ଉଭୟଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ପରେ ଏହି ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଘରେ ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇଦେଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନା ମୁତାବକ, ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ।
ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସମ୍ପତ୍ତି ପାଇଁ ମା’ ଓ ଭଉଣୀକୁ ଭାଇ ଜଗନ୍ନାଥ ହତ୍ୟା କରିଥିବା ସ୍ନେହଲତାଙ୍କ ସାନ ଝିଅ ଅଭିଯୋଗ ଆଣିଥିଲେ। ପୁଲିସ ଏହି ଘଟଣାରେ ବୃଦ୍ଧାଙ୍କ ପୁଅ ସହ ପରିବାରର ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ପରେ ବୃଦ୍ଧାଙ୍କ ପୁଅ ଓ ନାତିକୁ ଗିରଫ କରିଥିଲା ପୁଲିସ।