Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆଜି ସମ୍ବଲପୁର ଜିଲ୍ଲା ପାଇଁ ବିକାଶର ଏକ ଐତିହାସିକ ଦିନ ରୂପେ ପରିଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଯାଇ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ଜିଲ୍ଲାର ସାର୍ବାଙ୍ଗୀଣ ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଧରାଯାଉଛି।

ସୂଚନା ଅନୁଯାୟୀ, ୫୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪ଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିବା ବେଳେ ୮୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ ଓ ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ, ଗୋଦାମ ଗୃହ, ଅଟଳ ବସ୍‌ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ଉନ୍ନୟନ, ପାନୀୟ ଜଳ ଯୋଜନା ଭଳି ବହୁମୁଖୀ କାର୍ଯ୍ୟ ସାମିଲ ଅଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସମ୍ବଲପୁରର ବିକାଶ ଲୋକଙ୍କ ସରକାରର ପ୍ରାଥମିକତା।

ସନ୍ତୁଳିତ ବିକାଶ ଓ ସୁଶାସନ ମାଧ୍ୟମରେ ସମ୍ବଲପୁରକୁ ଓଡ଼ିଶାର ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ିତୋଳିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ। ମା ସମଲେଇଙ୍କ ମନ୍ଦିର ଓ ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୩୧୬ କୋଟି ଟଙ୍କା ବିନିଯୋଗରେ ଦୁଇଟି ପର୍ଯ୍ୟାୟରେ ମନ୍ଦିର ଓ ଆସପାସ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହା ସହ ମହାନଦୀ କୂଳର ମନ୍ଦ୍‌ଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ୧୬୦ କୋଟି ଟଙ୍କା ବ୍ୟୟରେ ପର୍ଯ୍ୟଟନ ଭିତ୍ତିକ ଉନ୍ନୟନ କାର୍ଯ୍ୟ ହେବ।

ରାଜ୍ୟର ଶିଳ୍ପାୟନ ପରିପ୍ରେକ୍ଷିରେ ସେ କହିଥିଲେ ଯେ, ପୂର୍ବରୁ କିଛି ଗଣତିକ ଅଞ୍ଚଳରେ ଶିଳ୍ପ ସୀମିତ ଥିଲା, କିନ୍ତୁ ଆଗାମୀ ଦିନରେ ସମସ୍ତ ୩୦ ଜିଲ୍ଲାରେ ଶିଳ୍ପ ପହଞ୍ଚାଇବା ହେଉଛି ସରକାରର ଲକ୍ଷ୍ୟ। ଓଡ଼ିଶାରେ ଆସୁଥିବା ୧୮ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଆହୁରି ଶକ୍ତିଶାଳୀ କରିବ ବୋଲି ସେ କହିଥିଲେ।ଏହି ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମ୍ବଲପୁର ସହରର ଚେହେରା ବଦଳିବା ସହିତ ଜିଲ୍ଲାବାସୀଙ୍କ ଜୀବନମାନ ଉନ୍ନତ ହେବ ଏବଂ ସମୃଦ୍ଧ ଓଡ଼ିଶା ଗଠନରେ ଏହା ଏକ ମଜବୁତ ମୂଳଦୁଆ ହେବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *