Thu. Oct 23rd, 2025

ନ୍ୟୁଜ ଡେକ୍ସ: ଅବସର ପରେ ବି ସରକାରୀ ଘର ଖାଲି କରୁ ନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଏନେଇ ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଠାରୁ ତୁରନ୍ତ କୃଷ୍ଣ ମେନନ୍ ମାର୍ଗରେ ଥିବା ବଙ୍ଗଳା ନମ୍ବର ୫କୁ ଖାଲି କରିବାକୁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଭାରତର ମୁଖ୍ୟ ବିଚାରପତି ଭାବରେ ୨ ବର୍ଷ କାର୍ଯ୍ୟ କରିବା ପରେ, ଚନ୍ଦ୍ରଚୂଡ଼ ୧୦ ନଭେମ୍ବର ୨୦୨୪ରେ ଅବସର ନେଇଥିଲେ। କାର୍ଯ୍ୟାଳୟରେ ଥିବା ସମୟରେ, ତାଙ୍କୁ ମୁଖ୍ୟ ବିଚାରପତିଙ୍କ ବାସଭବନ ଭାବରେ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଆବଣ୍ଟିତ କରାଯାଇଥିଲା। ଯାହା ଏକ ଟାଇପ୍ ୮ ବଙ୍ଗଳା । ଅବସର ପରେ, ତାଙ୍କୁ ନିୟମ ଅନୁଯାୟୀ ଅସ୍ଥାୟୀ ବାସସ୍ଥାନ ଭାବରେ ଏକ ଟାଇପ୍ ୭ ବଙ୍ଗଳା ଆବଣ୍ଟିତ କରାଯାଇଥିଲା, କିନ୍ତୁ ସେ ସୁପ୍ରିମକୋର୍ଟ ପ୍ରଶାସନକୁ ଅନୁରୋଧ କରିଥିଲେ ଏବଂ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳାରେ ରହିବାକୁ ଅନୁମତି ପାଇଥିଲେ ।

ଏହି ଅବଧି ସମାପ୍ତ ହେବା ପରେ ମଧ୍ୟ, ବର୍ତ୍ତମାନର ମୁଖ୍ୟ ବିଚାରପତି ବି.ଆର. ଗବାଇ ତାଙ୍କୁ ମେ ୩୧ ପର୍ଯ୍ୟନ୍ତ ବାସସ୍ଥାନରେ ରହିବାକୁ ଅନୁମତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସେ ସରକାରୀ ବାସଭବନ ଖାଲି କରିନାହାନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ କୋର୍ଟ । ଚିଠିରେ ପ୍ରଶାସନ କହିଛି ଯେ ଏହି ବଙ୍ଗଳାଟି ସରକାରୀ ସୁପ୍ରିମକୋର୍ଟ ହାଉସ ପୁଲର ଏକ ଅଂଶ। ତେଣୁ ଏବେ ଏହାକୁ ନିୟମ ଅନୁସାରେ ପୁନଃ ଆବଣ୍ଟନ ପାଇଁ ଫେରାଇ ଦିଆଯିବା ଉଚିତ। ଆବାସିକ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ଚିଠିରେ ଆଉ ବିଳମ୍ବ ନକରି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଠାରୁ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।

ଜୁଲାଇ ୧ ତାରିଖରେ ସୁପ୍ରୀମ କୋର୍ଟର ଜଣେ ଅଧିକାରୀ ମନ୍ତ୍ରଣାଳୟର ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ମାନ୍ୟବର ଡ. ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କଠାରୁ କୃଷ୍ଣା ମେନନ ମାର୍ଗରେ ଥିବା ବଙ୍ଗଳା ନମ୍ବର ୫ର ଅବିଳମ୍ବରେ ଖଲି କରାଯାଉ। କାରଣ ଏହାର ଅନୁମତିପ୍ରାପ୍ତ ଅବଧି ୨୦୨୫ ମେ ୩୧ରେ ସମାପ୍ତ ହୋଇଛି ଏବଂ ୨୦୨୨ ନିୟମାବଳୀର ନିୟମ ୩ବି ଅନୁଯାୟୀ ଦିଆଯାଇଥିବା ୬ ମାସର ଅବଧି ୨୦୨୫ ମେ ୧୦ରେ ମଧ୍ୟ ଶେଷ ହୋଇଛି।”

Leave a Reply

Your email address will not be published. Required fields are marked *