ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ସରକାରୀ ପାଣ୍ଠି ଅପବ୍ୟବହାର ଅଭିଯୋଗରେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ହୋଇଥିବା ଜେଇ ହେଲେ ରତ୍ନେଶ କୁମାର ପାଣ୍ଡେ।ଭିଜିଲାନ୍ସ ସୂତ୍ର ଅନୁଯାୟୀ, ୨୦୨୩–୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତୀକରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା।
ଏହି ପ୍ରକଳ୍ପ ନାମରେ ଜିପି ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର କରି ଅଭିଯୁକ୍ତ ଜେଇ ଟଙ୍କାକୁ ନିଜ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଛି। ସେ ପିପିଲିସ୍ଥିତ ଏସବିଆଇ ଶାଖାରେ ଥିବା ନିଜ ଆକାଉଣ୍ଟକୁ ଏହି ଟଙ୍କା ଜମା କରିଥିବା କଥା ତଦନ୍ତରୁ ସ୍ପଷ୍ଟ ହୋଇଛି।ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ୯.୭୦ ଲକ୍ଷ ଟଙ୍କା ସ୍ଥାନାନ୍ତରିତ ହୋଇଥିବା ପ୍ରମାଣ ଭିଜିଲାନ୍ସ ସଂଗ୍ରହ କରିଛି।
ଆହୁରି କିଛି ରାଶି ହେରଫେର ହୋଇଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହି ଘଟଣାରେ ଜେଇଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ଏବଂ ୧୩(୧)(କ)/୧୨ ସହିତ ଭାରତୀୟ ଦଣ୍ଡବିଧି (ଆଇପିସି)ର ଧାରା ୪୦୯ ଓ ୧୨୦-ବି ଅନୁସାରେ ମାମଲା ରୁଜୁ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଳତରେ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

