Sat. Feb 21st, 2026

ନ୍ୟୁଜ ଡେକ୍ସ : ସରଣ୍ଡା ଜଙ୍ଗଲରୁ ସମସ୍ତ ନକ୍ସଲଙ୍କୁ ସଫା କରିବାକୁ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଚାଲିଛି। ସିଆରପିଏଫ୍‌, ଝାରଖଣ୍ଡ ଜାଗୁଆର, କୋବ୍ରା ବାହିନୀ ଓ ସ୍ଥାନୀୟ ପୁଲିସଙ୍କ ସଂଯୁକ୍ତ ଅଭିଯାନରେ ଦୁଇ ଦିନ ଧରି ଗୁଳି ବିନିମୟ ଜାରି ରହିଛି।ଗୁରୁବାର ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୧୫ ନକ୍ସଲ ନିହତ ହୋଇଥିବା ବେଳେ, ଶୁକ୍ରବାର ସରଣ୍ଡା ଜଙ୍ଗଲରୁ ଅନ୍ୟ ଦୁଇ ଟପ୍ କ୍ୟାଡର୍ ରାପା ମୁଣ୍ଡା ଓ ସୋମାଙ୍କ ଶବ ଉଦ୍ଧାର କରାଯାଇଛି।

ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି।ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଓ ଗୋଲାବାରୁଦ ଜବତ ହୋଇଛି। ଏଥିରେ ରାଇଫଲ, ଇନ୍‌ସାସ୍‌ ରାଇଫଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଅଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କୁ ଖୋଜିବା ପାଇଁ ହେଲିକପ୍ଟର ଓ ଡ୍ରୋନ୍‌ ବ୍ୟବହାର କରାଯାଉଛି। ଆକାଶ ମାର୍ଗରୁ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।ପ୍ରାଥମିକ ତଦନ୍ତରୁ ଦୁର୍ଦ୍ଦାନ୍ତ ମାଓନେତା ମଛୁ ସମେତ ପ୍ରାୟ ୬୦ ଜଣ ନକ୍ସଲ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଛି। ସେମାନଙ୍କ ଥିବା ସ୍ଥାନକୁ ହେଲିକପ୍ଟର ଓ ଡ୍ରୋନ୍‌ ମାଧ୍ୟମରେ ଚିହ୍ନଟ କରି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସିଆରପିଏଫ୍‌ ଆଇଜି ସାକେତ କୁମାର ସି କହିଛନ୍ତି।

ଅନ୍ୟପଟେ, ଝାରଖଣ୍ଡ ପୁଲିସ ପକ୍ଷରୁ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରି ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତିର ଲାଭ ନେବାକୁ ଆହ୍ବାନ କରାଯାଇଛି। ଗତ ଜାନୁଆରୀ ୧୭ ଓ ୧୮ ତାରିଖରେ ହୋଇଥିବା ଏନକାଉଣ୍ଟରରେ ୬ ନକ୍ସଲ ନିହତ ହୋଇଥିଲେ। ସେମାନଙ୍କ ମୁଣ୍ଡ ଉପରେ ସରକାର ୨୭ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।ଏରିଆ କମାଣ୍ଡର ଅନଲ ଦାଙ୍କ ନିହତ ପରେ ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ସଂଗଠନକୁ ଭାରି ଧକ୍କା ଲାଗିଥିବା ସୁରକ୍ଷା ଏଜେନ୍ସି ମତ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *