Sat. Feb 21st, 2026

ନ୍ୟୁଜ ଡେକ୍ସ : ମହାକାଳପଡ଼ା ବ୍ଲକ ସଦର ମହକୁମାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଚଡାଇଗୁଆଁର ୨୪ତମ ବାର୍ଷିକ ଉତ୍ସବ ଶନିବାର ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା, ସଂସ୍କୃତି ଓ ଶିଷ୍ଟାଚାରର ସମନ୍ୱୟକୁ ଉଜାଗର କରିଥିବା ଏହି ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କର ଭାରି ଉପସ୍ଥିତି ଦେଖାଯାଇଥିଲା।

ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବ୍ଲକ ଶିକ୍ଷାଧିକାରୀ କୈଳାସ ଦଳାଇ ମୁଖ୍ୟବକ୍ତା ଭାବେ ସଭାକୁ ସମ୍ବୋଧନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରତିକାନ୍ତ ପଣ୍ଡା, ସଂକୁଳ ପ୍ରମୁଖ ରାଜେଶ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ପ୍ରଶାନ୍ତ ସେଠି, ଅମିତାଭ ସୁଆର, ଶିକ୍ଷାବିତ ସତ୍ୟବ୍ରତ ସେନାପତି ଓ ଦୁଷ୍ମନ୍ତ ପାଇକରାୟ, ପରିଚାଳନା କମିଟି ସଭାପତି ପବିତ୍ର ଚୌଧୁରୀ ଓ କୋଷାଧ୍ୟକ୍ଷ ପ୍ରତାପ ପାଇକରାୟ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଗୁରୁମା କଳ୍ପନା ରାଉତରାୟ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ଶିକ୍ଷାଗତ ଓ ସାଂସ୍କୃତିକ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ।

ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶିଷ୍ଟାଚାର, ଅନୁଶାସନ ଓ ସକାରାତ୍ମକ ମନୋଭାବ ସହିତ ଜୀବନ ଗଢ଼ିବା ପାଇଁ ପ୍ରେରଣା ଦେଇଥିଲେ। ମୁଖ୍ୟ ଅତିଥି ଶଶାଙ୍କ ଶେଖର ସେଠି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, “ସୁସଙ୍ଗତ ଓ ଉତ୍ତମ ପରିବେଶ ହିଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଭିତ୍ତି। ଶିକ୍ଷା ସହ ସଂସ୍କାର ଛାତ୍ରଛାତ୍ରୀଙ୍କୁ ଆଦର୍ଶ ନାଗରିକ କରି ଗଢ଼ିତୋଳେ।”ସଭା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇ ସଭାସ୍ଥଳକୁ ଉତ୍ସବମୟ କରିଥିଲା। ଶେଷରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ହସ୍ତରେ ପୁରସ୍କାର ପ୍ରଦାନ କରାଯାଇ, ଉତ୍ସବକୁ ସ୍ମରଣୀୟ ରୂପ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *