Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ରାସନ କାର୍ଡଧାରୀଙ୍କ ପାଇଁ ଏବେ ଚାଲିଛି ଶେଷ ସମୟ। ଯେମାନେ ଏପର୍ଯ୍ୟନ୍ତ ଇ-କେୱାଇସି (e-KYC) କରିନାହାନ୍ତି ସେମାନଙ୍କ ପାଇଁ ନଭେମ୍ବର ମାସରୁ ରାସନ୍‌ ଚାଉଳ ମିଳିବ ନାହିଁ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ପୂର୍ବରୁ ଏହି ସଂପର୍କରେ ସ୍ପଷ୍ଟ ଚେତାବନୀ ଦେଇଥିଲେ। ଆଜି ଅକ୍ଟୋବର ମାସ ଶେଷ ହେଉଥିବା ସତ୍ତେ ମଧ୍ୟ ରାଜ୍ୟରେ ୧୫ ଲକ୍ଷ ୫୭ ହଜାର ୨୬୫ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି।

ସରକାର ଇ-କେୱାଇସି ପ୍ରକିୟା ଆରମ୍ଭ କରିଥିଲା ଯାହାର ଉଦ୍ଦେଶ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ ତାଲିକାରୁ ବାହାର କରିବା। ହେଲେ, ରାଜ୍ୟ ସ୍ତରରେ ପ୍ରତିକ୍ରିୟା ଆଶାନୁସାରେ ନହେବାରୁ ଏବେ ମଧ୍ୟ ଲକ୍ଷାଧିକ ଲୋକ ଏହା କରିନାହାନ୍ତି।ଯୋଗାଣ ବିଭାଗ ସୂଚନା ଅନୁସାରେ, ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ହିତାଧିକାରୀଙ୍କ ଇ-କେୱାଇସି ହୋଇନଥିଲା। ସେଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରକିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ, ୧୫ ଦିନରେ ମାତ୍ର ୭୩,୧୦୬ ଜଣଙ୍କ ଇ-କେୱାଇସି ସମ୍ପନ୍ନ ହୋଇଛି।

ଅନେକ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି ବୋଲି ଯୋଗାଣ ବିଭାଗ ଅଧିକାରୀମାନେ କହିଛନ୍ତି। ସେହିପରି, ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ମଧ୍ୟ ଅନେକ ହିତାଧିକାରୀ ଅପଡେଟ୍ କରିପାରିନାହାନ୍ତି।ଏହି ପରିସ୍ଥିତିରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି — ନଭେମ୍ବର ପହିଲାରୁ ଯେମାନେ ଇ-କେୱାଇସି କରିନଥିବେ, ସେମାନଙ୍କୁ ରାସନ ଚାଉଳ ମିଳିବ ନାହିଁ। ଏହି ନିଷ୍ପତ୍ତି ପରେ ହିତାଧିକାରୀମାନଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *