ନ୍ୟୁଜ ଡେକ୍ସ : ବଲିଉଡ ଷ୍ଟାର ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲଓ୍ବାନ’ ର ଟିଜର ରିଲିଜ ହେବା ସହିତ ହିଁ ଏହାକୁ ନେଇ ଚୀନରେ ଚର୍ଚ୍ଚା ଓ ଅସନ୍ତୋଷ ଦେଖାଦେଇଛି। ୨୦୨୦ ମସିହାରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଘଟିଥିବା ହିଂସକ ସଂଘର୍ଷକୁ ଆଧାର କରି ତିଆରି ହୋଇଥିବା ଏହି ଫିଲ୍ମକୁ ନେଇ ଚୀନୀ ମାଧ୍ୟମ ଓ ବିଶେଷଜ୍ଞମାନେ ଆପତ୍ତି ଉଠାଇଛନ୍ତି।
ଚୀନର ସରକାରୀ ମାଧ୍ୟମ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ ଫିଲ୍ମରେ ଦେଖାଯାଇଥିବା କିଛି ତଥ୍ୟ ସଠିକ୍ ନୁହେଁ। ସେହିପରି କିଛି ଚୀନୀ ସେନା ବିଶେଷଜ୍ଞ କହିଛନ୍ତି, ଏପରି ଫିଲ୍ମ ଦ୍ୱାରା ଚୀନର “ପବିତ୍ର ଭୂମି” ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ ସଲମାନ ଖାନଙ୍କୁ ଚୀନର ଦର୍ଶକମାନେ ‘ବଜରଙ୍ଗୀ ଭାଇଜାନ’ ଫିଲ୍ମ ମାଧ୍ୟମରେ ଚିହ୍ନନ୍ତି। ‘ବ୍ୟାଟଲ ଅଫ୍ ଗଲଓ୍ବାନ’ରେ ସଲମାନ ଖାନ ଶହିଦ କର୍ଣ୍ଣଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ଚରିତ୍ରରେ ନଜରକୁ ଆସିବେ।
ଭାରତୀୟ ମିଡିଆ ଅନୁସାରେ, ୨୦୨୦ ଗଲଓ୍ବାନ ସଂଘର୍ଷ ସମୟରେ କର୍ଣ୍ଣଲ ସନ୍ତୋଷ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।ଟିଜର ରିଲିଜ ପରେ ଚୀନୀ ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମକୁ ନେଇ ମତାମତ ଆସୁଛି। ଚୀନୀ ସାଇଟ ‘ବିବୋ’ରେ ଜଣେ ୟୁଜର ଲେଖିଛନ୍ତି ଯେ, ଏହା ଏକ “ଓଭର ଡ୍ରାମାଟିକ” ଭାରତୀୟ ଫିଲ୍ମ ଯାହା ତଥ୍ୟଠାରୁ ଅଲଗା। ଚୀନୀ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଭାରତୀୟ ସିନେମା ସାଧାରଣତଃ ଭାବନା ଓ ମନୋରଞ୍ଜନ ଉପରେ ଆଧାରିତ। ହେଲେ ଫିଲ୍ମ ମାଧ୍ୟମରେ ଇତିହାସକୁ ବଦଳାଇ ଦିଆଯାଇପାରିବ ନାହିଁ। ସେମାନେ ଦାବି କରିଛନ୍ତି ଯେ ଗଲଓ୍ବାନ ଘାଟି ଚୀନର ଅଞ୍ଚଳ ଓ ପିଏଲଏ ବହୁ ବର୍ଷ ଧରି ଏହାର ସୁରକ୍ଷା କରୁଛି।ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଜୁନ ୧୫ ଓ ୧୬ ତାରିଖ ରାତିରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ହିଂସକ ସଂଘର୍ଷ ଘଟିଥିଲା।
ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଆଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ଚୀନର ୩୮ ଜଣ ସେନା ମୃତ୍ୟୁବରଣ କରିଥିବା କୁହାଯାଇଥିଲେ ମଧ୍ୟ, ଚୀନ ସରକାରୀ ସ୍ତରରେ ଏହାକୁ ସ୍ୱୀକାର କରିନାହିଁ।ଏହି ସଂଘର୍ଷ ପରେ ଭାରତ–ଚୀନ ସମ୍ପର୍କରେ ତିକ୍ତତା ବଢ଼ିଥିଲା ଏବଂ ଭାରତ ପକ୍ଷରୁ ଅନେକ ଚୀନୀ କମ୍ପାନୀ ଉପରେ ପାବନ୍ଦି ସହ ବିମାନ ସେବା ବନ୍ଦ କରାଯାଇଥିଲା। ‘ବ୍ୟାଟଲ ଅଫ୍ ଗଲଓ୍ବାନ’ ଟିଜର ଏବେ ପୁଣିଥରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆନ୍ତର୍ଜାତୀୟ ଚର୍ଚ୍ଚାକୁ ତୀବ୍ର କରିଦେଇଛି।

