ନ୍ୟୁଜ ଡେକ୍ସ : ବହୁ ଚର୍ଚ୍ଚିତ ବିଏମସି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ ହତ୍ୟା ଘଟଣାରେ ଦୀର୍ଘ ୧୦ ମାସ ପରେ ଅବଶେଷରେ ମାଷ୍ଟରମାଇଣ୍ଡ ସୁଲେଇ ନାୟକକୁ ଗିରଫ କରିବାରେ ସଫଳ ହେଲା ମଞ୍ଚେଶ୍ୱର ଥାନା ପୋଲିସ। ଏହି ଗିରଫ ସହ ଏପର୍ଯ୍ୟନ୍ତ ଏହି ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ପହଞ୍ଚିଛି।
ସୂଚନା ଅନୁଯାୟୀ, ସହଦେବ ନାୟକ ଯିଏ କେଦାରପଲ୍ଲୀ ବସ୍ତିର ବାସିନ୍ଦା, ସେ କିଛି ଦିନ ପୂର୍ବରୁ ପଳାଶୁଣୀ ଅଞ୍ଚଳର ଏକ ଭଡ଼ାଘରରେ ରହୁଥିଲେ। ଏହି ବର୍ଷ ଜାନୁଆରୀ ମାସରେ ଏକ ଦିନ ସକାଳ ୮ଟା ସମୟରେ ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ରସୁଲଗଡ଼ ରେଳ ଓଭରବ୍ରିଜ ଉପରେ ତାଙ୍କ ସ୍କୁଟିକୁ ଗୋଇଠା ମାରି ତଳେ ପଡ଼ିବାକୁ ବାଧ୍ୟ କରାଯାଇଥିଲା।ଏହା ପରେ ଗାଡ଼ିରୁ ଚାରି ଅଭିଯୁକ୍ତ ଓହ୍ଲାଇ ତାଙ୍କୁ ଘେରି ଆକ୍ରମଣ କରିଥିଲେ। ଲିପିକା ନାମକ ଅଭିଯୁକ୍ତ ନିଜ ବ୍ୟାଗରୁ ଖଣ୍ଡା ବାହାର କରି ଲକ୍ଷ୍ମୀଧରଙ୍କୁ ଧରାଇଥିଲେ, ଯିଏ ଏହା ଦ୍ୱାରା ସହଦେବଙ୍କ ବେକ ଉପରେ ଶକ୍ତ ଚୋଟ ମାରିଥିଲେ।
ଏହି ନିର୍ମମ ଆକ୍ରମଣରେ ସହଦେବଙ୍କ ମୁଣ୍ଡ ଦେହରୁ ଅଲଗା ହୋଇଯାଇଥିଲା। ଘଟଣା ପରେ ଭୁବନେଶ୍ୱର ସିପି ନିଜେ ତଦନ୍ତ ଆରମ୍ଭ କରିଥିଲେ ଓ ସ୍ପେଶାଲ ସ୍କ୍ୱାଡ୍ ଗଠନ କରି ଚଢ଼ାଉ କରିଥିଲା। ତଦନ୍ତ ସମୟରେ ପୋଲିସ ପ୍ରଥମେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ପଚରାଉଚରା ଆଧାରରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ ନେଇ ହତ୍ୟା ଘଟଣାର ‘ସିନ୍ ରିକ୍ରିଏସନ’ କରାଯାଇଥିଲା।ଏହା ପରେ ଫେବୃଆରୀ ୧୬ ତାରିଖରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲେ।
ଦୀର୍ଘ ତଦନ୍ତ ପରେ ଆଜି ଏହି ମାମଲାର ମାଷ୍ଟରମାଇଣ୍ଡ ସୁଲେଇ ନାୟକକୁ ମଞ୍ଚେଶ୍ୱର ପୋଲିସ ଗିରଫ କରିବାରେ ସଫଳ ହୋଇଛି।ପୋଲିସ ଅଧିକାରୀମାନେ କହିଛନ୍ତି, ସୁଲେଇ ନାୟକ ହିଁ ସମଗ୍ର ହତ୍ୟା ଯୋଜନାର ପଛରେ ଥିଲେ ଓ ସେ ବହୁଦିନ ଧରି ଗୁପ୍ତ ରୂପେ ଚାଲିଆସୁଥିଲେ। ସେଥିପାଇଁ ପୋଲିସ ତାଙ୍କ ଉପରେ ନଜର ରଖି ଥିଲା।ଏହି ଗିରଫ ସହିତ ସହଦେବ ନାୟକ ହତ୍ୟା ମାମଲାର ତଦନ୍ତ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମଞ୍ଚେଶ୍ୱର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

