ନ୍ୟୁଜ ଡେକ୍ସ : ସହରାଞ୍ଚଳରେ ବସବାସ କରୁଥିବା ଗରିବ, ପ୍ରବାସୀ ଶ୍ରମିକ, ଶିଳ୍ପ କର୍ମଚାରୀ ଓ କର୍ମଜୀବୀ ମହିଳାମାନଙ୍କ ପାଇଁ ମୋହନ ସରକାର ଆଣିଛନ୍ତି ଏକ ଆଶାଜନକ ଯୋଜନା। ଘରଭଡ଼ାର ଭାର ଯାହାଙ୍କ ପାଇଁ ଦିନକୁଦିନ ଭାରି ହେଉଥିଲା, ସେମାନଙ୍କୁ ଆଶ୍ୱାସ ଦେବା ପାଇଁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଲଭ ଭଡ଼ା ବାସଗୃହ (Affordable Rental Housing – ARH) କାର୍ଯ୍ୟକ୍ରମ। ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହର (PMAY-U) 2.0 ଅଧୀନରେ କାର୍ଯ୍ୟକାରୀ ହେବ।
ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ସହରରେ ଖାଲି ପଡ଼ିଥିବା କିମ୍ବା ଅବ୍ୟବହୃତ ସରକାରୀ ଘରଗୁଡ଼ିକୁ ପୁନଃବ୍ୟବହାର କରି ଗରିବ ଓ ଅର୍ଥନୈତିକ ଭାବେ ଅନଗ୍ରସର ଲୋକଙ୍କୁ ଭଡ଼ା ସୂତ୍ରରେ ଘର ଯୋଗାଇ ଦେବା। ଏହାଦ୍ୱାରା ସହରରେ ଥିବା ହାଉସିଂ ଅଭାବ କମିବା ସହିତ ଗରିବଙ୍କୁ ଏକ ସୁରକ୍ଷିତ ଓ ଗରିମାମୟ ଜୀବନ ମିଳିବ।ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବଙ୍କୁ ପତ୍ର ଲେଖି ସହରାଞ୍ଚଳରେ ଖାଲି କିମ୍ବା ଅବ୍ୟବହୃତ ସରକାରୀ ଘରଗୁଡ଼ିକର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘରଗୁଡ଼ିକୁ ମରାମତି କରି ବାସଯୋଗ୍ୟ କରାଯାଇ ଭଡ଼ାରେ ଦିଆଯିବ। ଯୋଜନାଟି ଦୁଇଟି ମଡେଲରେ କାର୍ଯ୍ୟକାରୀ ହେବ।ପ୍ରଥମ ମଡେଲରେ, ଖାଲି ପଡ଼ିଥିବା ସରକାରୀ ଘରକୁ ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (PPP) ମାଧ୍ୟମରେ ମରାମତି କରାଯାଇ ଗରିବଙ୍କୁ ଭଡ଼ାରେ ଦିଆଯିବ।ଦ୍ୱିତୀୟ ମଡେଲରେ, ବେସରକାରୀ କିମ୍ବା ସରକାରୀ ସଂସ୍ଥା ନୂଆ ଘର ତିଆରି କରିବେ, ତାହାର ପରିଚାଳନା ଓ ମରାମତି ଦାୟିତ୍ୱ ନେବେ ଏବଂ ଭଡ଼ା ମାଧ୍ୟମରେ ନିଜ ବିନିଯୋଗ ଫେରତ ପାଇବେ।
ସ୍ଥାନୀୟ ପ୍ରଶାସନ ଏକ ସର୍ଭେ କରି ଘରଭଡ଼ା ନିର୍ଦ୍ଧାରଣ କରିବ। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ପ୍ରତି ୨ ବର୍ଷରେ ଭଡ଼ା ୮ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏହା ଦ୍ୱାରା ଯୋଜନାଟି ଦୀର୍ଘକାଳୀନ ଭାବେ ସ୍ଥିର ଓ ଆର୍ଥିକ ଭାବେ ସ୍ୱାବଳମ୍ବୀ ରହିବ।ବିଶେଷ କରି କର୍ମଜୀବୀ ମହିଳା, ପ୍ରବାସୀ ଶ୍ରମିକ, ଅଣସଙ୍ଗଠିତ କ୍ଷେତ୍ରର କର୍ମଚାରୀ ଏହି ଯୋଜନାରୁ ବଡ଼ ଲାଭ ପାଇବେ। ନିଜ ଘର ତିଆରି କରିବାର ସାମର୍ଥ୍ୟ ନଥିବା ଲୋକମାନଙ୍କ ପାଇଁ ଏହି ସୁଲଭ ଭଡ଼ା ଘର ଏକ ନୂଆ ଆଶାର ଦ୍ୱାର ଖୋଲିଦେବ। ସହରରେ ଘରଭଡ଼ା ଟେନସନ କମାଇବା ସହିତ ସରକାରୀ ସମ୍ପତ୍ତିର ସଠିକ୍ ବ୍ୟବହାର ହେବ ଏହା ମୋହନ ସରକାରଙ୍କ ଏହି ନୂଆ ଯୋଜନାର ସବୁଠୁ ବଡ଼ ସଫଳତା ହେବ।

