Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ନୋଟ୍ ବଣ୍ଡଲ । ସୁରକ୍ଷା କର୍ମୀଙ୍କ ଯାଞ୍ଚ ବେଳେ ସିଟ୍ ତଳୁ ନୋଟ ବଣ୍ଡଲ ମିଳିଥିବା ନେଇ ଗୃହରେ ଅବଗତ କରାଇଲେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ । ତେବେ ଏହି ନୋଟ୍ ବିଡାଟି କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଥିବାରୁ ଏହାକୁ ନେଇ ଗୃହରେ ବିରୋଧ ଦେଖାଦେଇଥିଲା । ବିଜେପି ଜୋରଦାର ପ୍ରସଙ୍ଗକୁ ତେଜିଥିବା ବେଳେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ହୋଇଛି ।

ସେପଟେ ଘଟଣାକୁ ନେଇ ଅଚମ୍ବିତ ଥିବା କହିଛନ୍ତି କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭି ।ଆଜି ରାଜ୍ୟସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଏକ ଘୋଷଣା କରିଥିଲେ । ସେ କହିଥିଲେ ଗତକାଲି (ଗୁରୁବାର) ଗୃହକାର୍ଯ୍ୟ ମୁଲତବୀ ରହିବା ପରେ ନିରାପତ୍ତା ରକ୍ଷୀମାନେ ସ୍ବାଭାବିକ ଭାବେ ଗୃହର ନିୟମିତ ଯାଞ୍ଚ କରିଥିଲେ । ସେହି ସମୟରେ ୨୨୨ ନମ୍ବର ସିଟ୍ ତଳୁ ଟଙ୍କା ବିଡା ମିଳିଥିଲା । ଏହି ବିଷୟ ଜଣାପଡିବା ପରେ ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ସିଟଟି ତେଲେଙ୍ଗାନାରୁ ରାଜ୍ୟସଭାକୁ ନିର୍ବାଚିତ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭିଙ୍କୁ ଆବଣ୍ଟନ ହୋଇଛି ।

ସେପଟେ ଟଙ୍କା ବଣ୍ଡଲ ମିଳିବା ପରେ ଏହାକୁ ନେଇ ସରଗରମ ହୋଇଛି ଗୃହ । ବିଜେପି କଂଗ୍ରେସକୁ ଘେରିଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ବିରୋଧ କରିଛନ୍ତି । ବିନା ତଦନ୍ତରେ କାହା ନାଁ ନେବା ଉଚିତ୍ ନୁହଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଖଡଗେ । ଯାହାକୁ ବିରୋଧ କରି ବିଜେପି କହିଛି, ନାଁ ଏବଂ ସିଟ୍ ନଂ କହିବାରେ କିଛି ବି ଅନୁଚିତ୍ ନାହିଁ । ସଂସଦ ଭିତରକୁ କ’ଣ ନୋଟ ବଣ୍ଡଲ ଅଣାଯାଇପାରିବ କି? ସେନେଇ ତଦନ୍ତ ହେବା ଦରକାର ବୋଲି ଦାବି କରିଛି ବିଜେପି ।

Leave a Reply

Your email address will not be published. Required fields are marked *