Sun. Jan 12th, 2025

ନ୍ୟୁଜ ଡେସ୍କ: ଆଧ୍ୟାତ୍ମିକ ସହର ବାରାଣାସୀ। ବର୍ତ୍ତମାନ ସେଠାରେ ମନ୍ଦିରରେ ସ୍ଥାପିତ ଥିବା ସାଇ ବାବାଙ୍କ ପ୍ରତିମାକୁ ବିରୋଧ କରାଯାଉଛି। ହିନ୍ଦୁ ସଂଗଠନ ସାଇ ବାବାଙ୍କ ମୂର୍ତ୍ତି ଗୁଡ଼ିକୁ ମନ୍ଦିରରୁ ହଟାଉଛନ୍ତି। ହିନ୍ଦୁ ସଂଗଠନ ଦାବି କରିଛନ୍ତି ଯେ ୧୪ ଟି ମନ୍ଦିରରୁ ମୂର୍ତ୍ତିଗୁଡ଼ିକୁ ହଟାଇ ଦିଆଯାଇଛି ଏବଂ ସାଇଙ୍କ ମୂର୍ତ୍ତି ଏପର୍ଯ୍ୟନ୍ତ ଅନେକ ମନ୍ଦିରରୁ ହଟାଯାଇ ନାହିଁ।

ହିନ୍ଦୁ ସଙ୍ଗଠନର ଅଭିଯୋଗ ମୁତାବକ, ସାଇ ବାବା ହେଉଛନ୍ତି ଜଣେ ମୁସଲମାନ ସାଧୁ। ତାଙ୍କର ପ୍ରକୃତ ନାମ ଚାନ୍ଦ ବାବା। ସନାତନ ଧର୍ମ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ତାଙ୍କୁ ପୂଜା କରାଯାଇପାରିବ ନାହିଁ। ଏଭଳି କିଛି ଅଭିଯୋଗ କରି ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି। କେନ୍ଦ୍ରୀୟ ବ୍ରାହ୍ମଣ ସଭା ନାମକ ଏକ ସଙ୍ଗଠନ ମନ୍ଦିରଗୁଡିକରୁ ସାଇଙ୍କ ପ୍ରତିମାକୁ ହଟାଉଛନ୍ତି।ରବିବାର ବିଳମ୍ବିତ ରାତିରୁ ବାରାଣସୀର ପ୍ରସିଦ୍ଧ ବଡା ଗଣେଶ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସନାତନ ରକ୍ଷକ ଦଳ ମଧ୍ୟ ଯୋଗ ଦେଇଛି। ସନାତନ ରାକ୍ଷକ ଦଳ କହିଛି ଯେ, ସାଇଙ୍କ ପ୍ରତିମାକୁ ୧୪ ଟି ମନ୍ଦିରରୁ ହଟାଇ ଦିଆଯାଇଛି। ଆହୁରି ଅନେକ ମନ୍ଦିର ବାକି ଅଛି। ବଡ଼ା ଗଣେଶ ମନ୍ଦିରର ପୂଜାରୀ ମଧ୍ୟ କହିଛନ୍ତି ଯେ, ସାଇଙ୍କ ପ୍ରତିମା ୨୦୧୩ରେ ଏଠାରେ ସ୍ଥାପିତ କରାଯାଇଥିଲା।

ଯଦି ଏହା ଶାସ୍ତ୍ର ସମ୍ମତ ନୁହେଁ ତେବେ ଏହାକୁ ହଟାଇବାରେ କୌଣସି ଅସୁବିଧା ନାହିଁ। ଏହି ଅଭିଯାନ ସହିତ ଜଡିତ ସଙ୍ଗଠନ ଗୁଡିକ କହିଛନ୍ତି ଯେ ସାଇ ବାବାଙ୍କ ଉପରେ ଯଦି କାହାର ଆସ୍ଥା ରହିଛି ତେବେ ଆମର ଏଥିରେ କୌଣସି ଆପତ୍ତି ନାହିଁ। ସେମାନେ ସାଇଙ୍କ ମନ୍ଦିର ନିର୍ମାଣ କରି ସେଠାରେ ପୂଜା କରିବା ଉଚିତ୍। କିନ୍ତୁ ଅନ୍ୟ ଦେବତାମାନଙ୍କ ମନ୍ଦିରରେ ସାଇ ବାବାଙ୍କୁ ରଖିବାକୁ ଅନୁମତି ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *