ନ୍ୟୁଜ ଡେକ୍ସ : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସାତକୋଶିଆ ମହାନଦୀ ଗଣ୍ଡରେ କୁମ୍ଭୀର ସଂଖ୍ୟା ଗତବର୍ଷ ତୁଳନାରେ ଏବେ ବଢ଼ିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ମହାନଦୀ ଗଣ୍ଡରେ ମୋଟ ୧୦୨ଟି କୁମ୍ଭୀର ଠାବ ହୋଇଛି, ଯାହା ଗତବର୍ଷର ୭୫ଟି ସଂଖ୍ୟାଠାରୁ ଅଧିକ।ଏହି ବର୍ଷ ଠାବ ହୋଇଥିବା କୁମ୍ଭୀରମାନଙ୍କ ମଧ୍ୟରେ ୮୮ଟି ମଗର କୁମ୍ଭୀର ଓ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ରହିଛନ୍ତି।
ଗତବର୍ଷ ଏହି ଅଞ୍ଚଳରେ ୫୯ଟି ମଗର ଓ ୧୬ଟି ଘଡ଼ିଆଳ ସହିତ ମୋଟ ୭୫ଟି କୁମ୍ଭୀର ରହିଥିଲେ।ଚଳିତ ମାସ ୬ ତାରିଖରୁ ସାତକୋଶିଆ ମହାନଦୀ ଗଣ୍ଡର ପ୍ରାୟ ୨୨ କିମି ଅଞ୍ଚଳରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ୧୪ଟି ଟିମ୍ ଗଠନ କରାଯାଇଥିଲା ଓ ପ୍ରାୟ ୭୦ଜଣ ବନ କର୍ମଚାରୀ ଓ ଗବେଷକ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ।ବନ ବିଭାଗ ଅନୁସାରେ, ମହାନଦୀ ଗଣ୍ଡର ଉତ୍ତମ ପରିବେଶ, ପାଣିର ଗୁଣବତ୍ତା ଓ ଖାଦ୍ୟ ଉପଲବ୍ଧତା କୁମ୍ଭୀର ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ।
ସୂଚନା ଅନୁସାରେ ୨୦୨୩ ମସିହାରେ ଏଠାରେ ୯୦ଟି ଏବଂ ୨୦୨୪ ମସିହାରେ ୧୧୧ଟି କୁମ୍ଭୀର ଠାବ ହୋଇଥିଲେ। କୁମ୍ଭୀର ସଂଖ୍ୟା ବୃଦ୍ଧି ସାତକୋଶିଆର ପରିବେଶ ସୁସ୍ଥତା ଓ ସଂରକ୍ଷଣ ପ୍ରୟାସର ସକାରାତ୍ମକ ପରିଣାମ ବୋଲି ବନ ବିଭାଗ ମତ ପ୍ରକାଶ କରିଛି।

