ନ୍ୟୁଜ ଡେକ୍ସ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ସଚିବ ପଦବୀରେ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍ଡି ଭାବେ ନିଯୁକ୍ତି ମିଳିଛି। ୧୯୯୫ ବ୍ୟାଚ୍ର ଆଇଏଏସ୍ ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ମଧ୍ୟ ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବର୍ତ୍ତମାନ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ବ ଦିଆଯାଇଛି ।
ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ୍ ରୁଫ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ‘ଆଦିତ୍ୟଦେବ ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କନ୍ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । ପରର୍ବତ୍ତୀ ସମୟରେ ଏହି ଲାଞ୍ଚ କାରବାରରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ୍ କରିଛି। ଏହା ପୂର୍ବରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଛି।
ଉଲ୍ଲେଖଯୋଗ୍ୟ, ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଜେନେରାଲ ମ୍ୟାନେଜର ବି. କେ ସିଂହ ସିବିଆଇ ସ୍କାନରକୁ ଆସିଛନ୍ତି। ପୂର୍ବରୁ ଜେରା ହୋଇଥିବା ତିନି ମୁଖ୍ୟ ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ସେ ଲେଖିଥିବା ଚିଠିକୁ ଆଧାର କରି ତାଙ୍କୁ ସିବିଆଇର ଦିଲ୍ଲୀ ଟିମ୍ ଜେରା କରିଛନ୍ତି ।