ନ୍ୟୁଜ ଡେକ୍ସ: ବଲାଙ୍ଗୀରରେ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ଘଟଣା । ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି ବଲାଙ୍ଗୀର ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ, ଗଜେନ୍ଦ୍ର ଦଳାଇ ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ, କୁଲଥିପାଲି ଗ୍ରାମରେ ୧୦ ଲକ୍ଷ ଟଙ୍କାର ଏକ ଗାର୍ଡୱାଲ୍ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଉଠିଥିଲା।
ଏହି ପ୍ରକଳ୍ପରେ କୌଣସି ସୂଚନା ଫଳକ ନଥିବା ନେଇ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ ଗ୍ରାମକୁ ଯାଇଥିଲେ। ସେଠାରେ ଭିଡିଓ ରେକର୍ଡିଂ କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ତାଙ୍କ ହାତଗୋଡ଼ ବାନ୍ଧି ଗ୍ରାମ ମଧ୍ୟରେ ଘୋଷାଡ଼ି ନେଇଥିଲେ ଏବଂ ଦୁଇ ଘଣ୍ଟା ଧରି ନିସ୍ତୁକ ମାଡ଼ ମାରି ଅପମାନିତ କରିଥିଲେ। ଏହାସହ, ତାଙ୍କ କ୍ୟାମେରା, ଦୁଇଟି ମୋବାଇଲ ଓ ଟଙ୍କା ଲୁଟି ନେଇଥିଲେ।ନିର୍ଯାତନା ପରେ ଅଭିଯୁକ୍ତମାନେ ବିଜୟଙ୍କୁ ଏକ ମନ୍ଦିରକୁ ନେଇ ଏହି ଘଟଣା କିମ୍ବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୌଣସି ଖବର ପ୍ରସାରଣ ନ କରିବାକୁ ଶପଥ କରାଇଥିଲେ।
ଏହାସହ, ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାର ଧମକ ଦେଇଥିଲେ। ପରେ ପୀଡ଼ିତ ସାମ୍ବାଦିକ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୪ଜଣଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ ଠିକାଦର ଗଜେନ୍ଦ୍ର ଦଳାଇ ରହିଥିବା ବେଳେ ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ରହିଛନ୍ତି ।
