ନ୍ୟୁଜ ଡେକ୍ସ : ରାଜ୍ୟର ସାମ୍ବାଦିକ ମହଳ ପାଇଁ ଏକ ଗଭୀର ଶୋକବାର୍ତ୍ତା ନେଇଆସିଛି ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ। ଏହି ହୃଦୟବିଦାରକ ଘଟଣାକୁ ନେଇ ସମଗ୍ର ଓଡ଼ିଶାରେ ଶୋକର ଛାୟା ପସରିଯାଇଛି। ଏହି ଦୁଃଖଦ ଘଟଣାରେ ମୃତ ସାମ୍ବାଦିକାଙ୍କ ପରିବାରକୁ ଅନୁକମ୍ପା ସୂଚକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ଶିଲା ପଟ୍ଟନାୟକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବତନ ଟ୍ୱିଟର)ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha) ପକ୍ଷରୁ ପ୍ରକାଶ କରାଯାଇଛି।CMO Odisha ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣାଜନିତ ପ୍ରାଣହାନି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଅପୂରଣୀୟ। ସତ୍ୟ, ନିଷ୍ପକ୍ଷ ଓ ଦାୟିତ୍ବପୂର୍ଣ୍ଣ ସମ୍ବାଦ ପରିବେଷଣରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇ କହିଛନ୍ତି ଯେ, ରାଜ୍ୟ ଏହି କଠିନ ସମୟରେ ପରିବାର ସହ ଦଢ଼ ଭାବେ ଦଢ଼ିଆଛି।
ତାଙ୍କ ଅକାଳ ବିୟୋଗ ରାଜ୍ୟର ସାମ୍ବାଦିକତା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।ଶିଲା ପଟ୍ଟନାୟକ ନିଜ ସାହସ, ସତ୍ୟନିଷ୍ଠା ଓ କର୍ତ୍ତବ୍ୟବୋଧରେ ସାମ୍ବାଦିକତାକୁ ଏକ ନୂତନ ଦିଗ ଦେଇଥିଲେ। ତାଙ୍କର ଅକାଳ ବିୟୋଗକୁ ନେଇ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ, ସାମାଜିକ ସଂସ୍ଥା ଓ ରାଜନୈତିକ ନେତୃତ୍ୱ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏହି ଦୁଃଖଦ ଘଟଣା ସାମ୍ବାଦିକଙ୍କ ସୁରକ୍ଷା ଓ ସହାୟତା ନେଇ ଆଉଥରେ ପ୍ରଶ୍ନ ଉଠାଇଛି। ରାଜ୍ୟ ସରକାର ପକ୍ଷରୁ ଘୋଷିତ ଏହି ସହାୟତା ଶୋକାକୁଳ ପରିବାର ପାଇଁ ଏକ ଛୋଟ ସାହାରା ହେବ ବୋଲି ଆଶା କରାଯାଉଛି।

