ନ୍ୟୁଜ ଡେକ୍ସ : ସିଏମ୍ କିଷାନ ଯୋଜନାରେ ଲାଭ ଉଠାଉଥିବା କୃଷକ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛନ୍ତି। ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତାଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନେ ଯଦି ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିବେ ନାହିଁ, ତେବେ ସେମାନେ ସିଏମ୍ କିଷାନ ଯୋଜନାରୁ ବାଦ ପଡ଼ିପାରନ୍ତି।
ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯୋଜନାରେ ଲାଭ ପାଇବା ପାଇଁ କୃଷକମାନେ ନିଜ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ (Aadhaar Linking) ସମ୍ପୂର୍ଣ୍ଣ କରିବା ସହ କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ କରିବା ଅନିବାର୍ଯ୍ୟ। ଏହାସହିତ ଆଧାର ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର୍ ମାଧ୍ୟମରେ e-KYC ସମ୍ପୂର୍ଣ୍ଣ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।ହିତାଧିକାରୀମାନେ ନିକଟସ୍ଥ ଜନ ସେବା କେନ୍ଦ୍ର (CSC) କିମ୍ବା ବ୍ୟକ୍ତିଗତ ଭାବେ ସିଏମ୍ କିଷାନ ପୋର୍ଟାଲ୍ (cmkisan.odisha.gov.in) ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଯେଉଁ କୃଷକମାନେ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନେ ଶୀଘ୍ର ଏହା କରିବାକୁ ସରକାର ପକ୍ଷରୁ ଅନୁରୋଧ କରାଯାଇଛି।
ଅଧିକ ସୂଚନା କିମ୍ବା ସହାୟତା ପାଇଁ କୃଷକମାନେ ନିଜ ଅଞ୍ଚଳର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ପର୍କ କରିପାରିବେ କିମ୍ବା କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର ୧୫-୫୩୩୩ରେ ଫୋନ୍ କରି ତଥ୍ୟ ନେଇପାରିବେ।ରାଜ୍ୟ ସରକାରର ଏହି ସତର୍କତାର ଉଦ୍ଦେଶ୍ୟ ହେଉଛି ଯେ, ସଠିକ୍ ଓ ଯୋଗ୍ୟ କୃଷକମାନେ ସିଏମ୍ କିଷାନ ଯୋଜନାର ଲାଭ ନିଶ୍ଚିତ ଭାବେ ପାଇପାରନ୍ତୁ ଏବଂ କୌଣସି ପ୍ରକାର ଡକ୍ୟୁମେଣ୍ଟ ଅଭାବରେ କୃଷକ ଲାଭରୁ ବଞ୍ଚିତ ନ ହୁଅନ୍ତୁ।

