ନ୍ୟୁଜ ଡେକ୍ସ: ସୁନ୍ଦରଗଡ ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କମ୍ପାନୀରେ ଅଘଟଣ। କମ୍ପାନୀର କୋଲ ହପର ଭୁଶୁଡି ପଡିଛି। ଏହା ତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାକୁ ନେଇ କମ୍ପାନୀ ବାହାରେ ଉତ୍ତେଜନା ଦେଖା ଦେଇଛି।
ସୂଚନା ଅନୁସାରେ, ଗତକାଲି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ ପାୱାର ପ୍ଲାଣ୍ଟର ବଏଲରକୁ କୋଇଲା ଯୋଗାଉଥିବା ହପର ଭୁଶୁଡି ପଡିବା ଫଳରେ ବଡ ଧରଣର ଅଘଟଣ ଘଟିଛି। ବଙ୍କର୍ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । ବଙ୍କର୍ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ୧୨-୧୪ ଜଣ ଶ୍ରମିକ ପୋତି ହୋଇଯାଇଥିଲେ। ବହୁ ସମୟ ପର୍ୟ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଥିବା ବେଳେ ଅଗ୍ନିଶମ ବିଭାଗର ୬ଟି ଟିମ ସହିତ ବଡ ବଡ କ୍ରେନ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ସେପଟେ ଏସପି, ତହସିଲଦାର ଏବଂ ଥାନା ଅଧିକାରୀ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ତେବେ ଫଶି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣ ଶ୍ରମିକ ଏବେ ନିଖୋଜ ଅଛନ୍ତି । ୩ ଜଣ ଶ୍ରମିକ ତଳେ ଚାପି ହୋଇ ରହିଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିଖୋଜ ଶ୍ରମିକ ମାନେ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳ।
