ନ୍ୟୁଜ ଡେକ୍ସ : ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କୋରାପୁଟରେ ସୁନାବେଡ଼ାରେ ଘଟିଥିବା ଦୁର୍ଘଟଣାରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଟଙ୍କାର ସହାୟତା ସହ ଆହତଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ଟିଟିଏସ୍ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସଫାରୀ ଗାଡ଼ି ସହ ସେଲେରିଓ ଗାଡ଼ି ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣଙ୍କୁ ମେଡିକାଲ୍ ନେଉଥିବା ବେଳେ ମୃତ୍ୟୁ ଘଟିଥିଲା । ମୃତକ ଓ ଗୁରୁତର ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି ।
ସୁନାବେଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଏହି ସଡ଼କ ଦୁର୍ଘଟଣାରେ ଆଶୁତୋଷ ରଣା, ଦିବ୍ୟରଞ୍ଜନ ପାତ୍ର ଓ ବିକାଶ ପାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଘଟଣା ବିଷୟରେ ଜାଣିବା ପେରେ ମୁଖମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିଥିଲେ ।
