Sun. Feb 22nd, 2026

ନ୍ୟୁଜ ଡେକ୍ସ : ସାରା ଦେଶରେ ବୁଲୁଥିବା କୁକୁରମାନଙ୍କ ଓ ଅନ୍ୟାନ୍ୟ ପଶୁମାନଙ୍କ ଉପରେ ଚାଲୁଥିବା ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଛି। ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଓ ବିଚାରପତି ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ସୁପ୍ରିମକୋର୍ଟ ରାଜପଥ ଏବଂ ଏକ୍ସପ୍ରେସୱେରେ ବୁଲା ପଶୁମାନଙ୍କ ଉପରେ ନିଷେଧ ଲଗାଇ ସେମାନଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛି। କୋର୍ଟ ଏହି ଆଦେଶକୁ ତିନୋଟି ଭାଗରେ ବିଭକ୍ତ କରି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଅନୁପାଳନ ପାଇଁ ଦାୟିତ୍ୱ ଦେଇଛି।ପ୍ରଥମ ନିର୍ଦ୍ଦେଶ — ଆମିକସ୍‌ ରିପୋର୍ଟର ବିଷୟବସ୍ତୁକୁ ଆଦେଶର ଅଂଶ ଭାବେ ଗ୍ରହଣ କରି ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପରବର୍ତ୍ତୀ ଶୁଣାଣି ପୂର୍ବରୁ ବିସ୍ତୃତ ରିପୋର୍ଟ ଦାଖଲ କରିବେ।

ଏହାରେ ବିଭିନ୍ନ ତ୍ରୁଟି ଦୂରୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଉଲ୍ଲେଖ ରହିବ। କୋର୍ଟ ସଚେତନ କରିଛି ଯେ ଯେକୌଣସି ଶିଥିଳତାକୁ ଗମ୍ଭୀରତାର ସହ ନିଆଯିବ। ଦ୍ୱିତୀୟ ନିର୍ଦ୍ଦେଶ — ରାଜସ୍ଥାନ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଦୃଢ଼ କରି ସୁପ୍ରିମକୋର୍ଟ କହିଛି ଯେ ଦେଶର ସମସ୍ତ ନୋଡାଲ ଅଧିକାରୀ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେରୁ ବୁଲା ପଶୁମାନଙ୍କୁ ହଟାଇବା ନିଶ୍ଚିତ କରିବେ।

ଗାଈ, ଛେଳି, କୁକୁର ସହିତ ସମସ୍ତ ପଶୁକୁ ସୁରକ୍ଷିତ ସ୍ଥାନକୁ ନେଇ ସେମାନଙ୍କୁ ଆବଶ୍ୟକ ଯତ୍ନ ଯୋଗାଇବାକୁ ହେବ।ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନେ ନିର୍ଦ୍ଦେଶାବଳୀର କଡ଼ା ଅନୁପାଳନ କରିବେ। ଅନୁପାଳନ ନ ହେଲେ ସେମାନେ ବ୍ୟକ୍ତିଗତ ଭାବେ ଦାୟୀ ହେବେ। ସମସ୍ତ ରାଜ୍ୟ ଏହା ସମ୍ପର୍କରେ ଆଠ ସପ୍ତାହ ମଧ୍ୟରେ ଏକ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ପଡିବ।ତୃତୀୟ ନିର୍ଦ୍ଦେଶ — ସଂସ୍ଥାଗତ ରକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି ଯେ ସମସ୍ତ ଜିଲ୍ଲା ହସ୍ପିଟାଲ, ସାର୍ବଜନୀନ କ୍ରୀଡା କମ୍ପ୍ଲେକ୍ସ ଓ ରେଳଷ୍ଟେସନ ଭଳି ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଦୁଇ ସପ୍ତାହ ମଧ୍ୟରେ ଚିହ୍ନଟ କରି ବୁଲା କୁକୁରମାନଙ୍କ ପ୍ରବେଶ ରୋକିବା ପାଇଁ ବାଡ଼ ଦେଇ ସୁରକ୍ଷିତ କରାଯିବ।

ଏହି କାମ ଆଠ ସପ୍ତାହ ମଧ୍ୟରେ ସମାପ୍ତ କରିବା ଆବଶ୍ୟକ ଓ ପ୍ରତ୍ୟେକ ସଂସ୍ଥା ଏକ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରି ସେହି ସୁରକ୍ଷା ବ୍ୟବସ୍ଥା ଦେଖାଶୁଣା କରିବେ।ସୁପ୍ରିମକୋର୍ଟ ର ସ୍ପଷ୍ଟ ନିର୍ଦ୍ଦେଶ — ରାସ୍ତା ଓ ସାର୍ବଜନୀନ ସ୍ଥାନରେ ମାନବ ସୁରକ୍ଷା ପାଇଁ ବୁଲା ପଶୁ ହଟାଇବା ଏବେ ରାଜ୍ୟ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ।

Leave a Reply

Your email address will not be published. Required fields are marked *