ନ୍ୟୁଜ ଡେକ୍ସ : ରାଜ୍ୟର ମହିଳା ସଶକ୍ତିକରଣକୁ ଆହୁରି ଗତି ଦେବା ଦିଗରେ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁଭଦ୍ରା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ମିଳୁଥିବା କିସ୍ତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆସନ୍ତା ୧୮ ତାରିଖ ଭିତରେ ସୁଭଦ୍ରା ଯୋଜନାର ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପହଞ୍ଚିବ।
ଏହି ପର୍ଯ୍ୟାୟରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିମଧ୍ୟରୁ ୧ ଲକ୍ଷ ୭୮ ହଜାର ୩୯୮ ଜଣ ନୂଆ ଭାବେ ଯୋଜନାରେ ସାମିଲ ହୋଇଥିବା ବେଳେ, ସେମାନେ ପ୍ରଥମ କିସ୍ତି ପାଇବେ।ସେହିପରି, ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବଞ୍ଚିତ ରହିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ମହିଳାଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ଏହି ହିତାଧିକାରୀମାନେ ଏକାଥରେ ପ୍ରଥମ ଓ ଦ୍ୱିତୀୟ—ଦୁଇଟି କିସ୍ତିର ଟଙ୍କା ପାଇବେ, ଯାହା ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହେବ ବୋଲି କୁହାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମିଳିଥିବା ଅଭିଯୋଗ ଓ ଅନୁରୋଧ ଗୁଡ଼ିକର ସମୀକ୍ଷା କରାଯାଇଛି।
ଅଭିଯୋଗ ଶୁଣାଣି ପରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ଯେଉଁମାନେ ପୂର୍ବରୁ ବଞ୍ଚିତ ହୋଇଥିଲେ, ସେମାନେ ଏବେ ସରକାରୀ ସହାୟତା ପାଇବାର ସୁଯୋଗ ପାଇଛନ୍ତି।ଏହି ସମ୍ପୂର୍ଣ୍ଣ ପର୍ଯ୍ୟାୟରେ ସୁଭଦ୍ରା ଯୋଜନା ଅଧୀନରେ ପ୍ରାୟ ୨୫୦ କୋଟି ଟଙ୍କାର ସହାୟତା ରାଶି ସିଧାସଳଖ ଭାବେ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଟଙ୍କା ମହିଳାମାନଙ୍କର ଜୀବିକା, ସ୍ୱାବଲମ୍ବନ ଓ ଆର୍ଥିକ ସୁରକ୍ଷାକୁ ମଜବୁତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ସେ କହିଛନ୍ତି।
ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଫ୍ଲାଗସିପ୍ ଯୋଜନା ହୋଇଥିବା ବେଳେ, ଏହା ମାଧ୍ୟମରେ ଗରିବ ଓ ମଧ୍ୟବର୍ଗୀୟ ପରିବାରର ମହିଳାମାନେ ଆର୍ଥିକ ଭାବେ ସଶକ୍ତ ହେବେ ବୋଲି ଆଶା କରାଯାଉଛି। ୧୮ ତାରିଖ ଭିତରେ ଟଙ୍କା ମିଳିବା ଘୋଷଣା ପରେ ରାଜ୍ୟର ମହିଳାମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି।

