ନ୍ୟୁଜ ଡେସ୍କ: ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା। ବାରିପଦା ଛଉ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ଦିଆଗଲା। ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଡବଲ ଇଂଜିନ ସରକାରକୁ ଆପଣ ସଫଳ କରିଛନ୍ତି ।ଡବଲ ଇଂଜିନ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ।ବାରିପଦା ସଭାରେ ପୂର୍ବ ସରକାରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଗତ ସରକାରଙ୍କ ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନରେ ସୀମିତ ଥିଲା। ପୂର୍ବ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ। ମହିଳାଙ୍କୁ ଋଣ ଦେବା ନାଁରେ ମହାଜନୀ କାରବାର କରାଉଥିଲେ ନବୀନ। ଆମ ସରକାର ମହିଳାମାନଙ୍କୁ ବିକାଶ ଯାତ୍ରାରେ ସାମିଲ କରିଛି।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ, ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ସନାତନ ବିଜୁଳି ପ୍ରମୁଖ ଉପସ୍ଥିତ ଅଛନ୍ତି।