Thu. Mar 5th, 2026

ନ୍ୟୁଜ ଡେକ୍ସ : ଗତ ୨୮ ଫେବୃଆରୀ ତାରିଖରେ ଶ୍ରୀମନ୍ଦିରରେ ସେବାପୂଜାରେ ବିଳମ୍ବ, ଡ୍ୟୁଟିରେ ଥିବା ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ କୈଫିୟତ ତଲବ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ କଠୋର ମନୋଭାବ ଗ୍ରହଣ କରି ସମ୍ପୃକ୍ତ ସେବକମାନଙ୍କୁ ସାତ ଦିନ ମଧ୍ୟରେ ନିଜର ଲିଖିତ କୈଫିୟତ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ରାମକୃଷ୍ଣ ଖୁଣ୍ଟିଆ ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିଥିଲେ। ଏହା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ରହିଛି।ସେହିପରି ଶ୍ରୀ ମାଧବ ଖୁଣ୍ଟିଆ (ହାତୀ) ଓ ଶ୍ରୀ ମଧୁସୂଦନ ଖୁଣ୍ଟିଆ (ଷଣ୍ଢି)ଙ୍କ ବିରୋଧରେ ମଧ୍ୟ ସେବା ସମ୍ପାଦନରେ ବାଧା ସୃଷ୍ଟି କରି ବିଶୃଂଖଳା ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଛି।

ଏହି ଘଟଣାକୁ ଗୁରୁତ୍ୱ ସହକାରେ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହା ସହ ରାମକୃଷ୍ଣ ଖୁଣ୍ଟିଆଙ୍କ ବିରୋଧରେ ପୂର୍ବରୁ ଜାରି ହୋଇଥିବା ଶାଢ଼ୀବନ୍ଧା ଆଦେଶ କାହିଁକି ପ୍ରତ୍ୟାହାର କରାଯିବ ନାହିଁ, ସେ ସମ୍ବନ୍ଧରେ ସନ୍ତୋଷଜନକ ଉତ୍ତର ଦେବାକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ସମୟସୀମା ମଧ୍ୟରେ ସଠିକ୍ ଉତ୍ତର ଦିଆଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *