ନ୍ୟୁଜ ଡେକ୍ସ: ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ । ୨୦୦୧ରୁ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଗ୍ରହଣ କରିଥିବା ସୋଆର ପୁରାତନ ଛାତ୍ରଛାତ୍ରୀମାନେ ଏହି ସମାବେଶରେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜକୁ ମଧ୍ୟ ସୋଆର ଜଣେ ପୁରାତନ ଛାତ୍ର ବୋଲି ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ।
ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଆଚର୍ଯ୍ୟ ନିଜକୁ ମଧ୍ୟ ସୋଆର ଜଣେ ପୁରାତନ ଛାତ୍ର ବୋଲି ନିଜ ଭାଷଣ ପ୍ରସଙ୍ଗରେ କହିଥିଲେ । ସୋଆର ପ୍ରଥମ ସମାବର୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିବାରୁ ନିଜକୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବେ ଅଭିହିତ କରିଥିଲେ ପ୍ରଫେସର ଆଚାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ନିଜ ଶିକ୍ଷାନୁଷ୍ଠାନ ସହ ପୁରାତନ ଛାତ୍ରଛାତ୍ରୀ ସମ୍ପର୍କ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଅଭିନେତା ତଥା ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ୨୦୧୩ ବ୍ୟାଚର ଛାତ୍ର ଦୀପନ୍ୱୀତ ଦାସମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିନୟ ଜୀବନ ସୋଆରୁ ଆରମ୍ଭ ହୋଇଥିଲା ବୋଲି ଗର୍ବର ସହ କହିଥିଲେ । ସୋଆର ଡ୍ରାମା କ୍ଲବ ‘ଟନେଲ୍ ଷ୍ଟୁକ୍’ରେ ଅଭିନୟ କରିବା ପରଠାରୁ ହିଁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ବଢ଼ିଥିଲା ବୋଲି ସେ କହିଥିଲେ ।
‘ଦମନ୍’, ‘ପ୍ରତୀକ୍ଷା’ ଏବଂ ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ ପରବ’ର ଅଭିନେତା ତଥା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଥିବା ଶ୍ରୀ ଦାସମହାପାତ୍ର ନିଜ କ୍ୟାରିୟରର ଶ୍ରେୟ ସୋଆକୁ ହିଁ ଦେଇଥିଲେ । ଅଭିନୟ କରିବାର ସ୍ୱପ୍ନ ସେ ସୋଆରୁ ହିଁ ଦେଖିଥିଲେ ବୋଲି ସେ କହିଥିଲେ । ସେହିପରି ନିଜ ଭାଷା, ସଂସ୍କୃତି, ପରମ୍ପରା ଓ ଓଡ଼ିଆ ଚଳଚ୍ଚିତ୍ରକୁ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ ଶ୍ରୀ ମହାପାତ୍ର ।
