ନ୍ୟୁଜ ଡେକ୍ସ : ପୁରୀର ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିରକୁ ନିଶାନା କରି ମିଳିଥିବା ଧମକପୂର୍ଣ୍ଣ ସୋସିଆଲ ମିଡିଆ ମେସେଜ୍ ସମଗ୍ର ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି। ‘ଜୁଲି ରାଣୀ ପଣ୍ଡା’ ନାମର ଏକ ଫେସବୁକ ଆଇଡିରୁ ଶ୍ରୀମନ୍ଦିର, ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଲକ୍ଷ୍ୟ କରି ଧମକ ଦିଆଯାଇଛି।
ସେହି ମେସେଜରେ “ପୁରୀ ଜଗନ୍ନାଥ ମନ୍ଦିରରେ ଶୀଘ୍ର ବୋମା ପଡିବ”, “ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଯିବ” ଏବଂ “ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ” ଭଳି ଭୟାବହ ଧମକ ଉଲ୍ଲେଖ ରହିଛି। ଏହି ପୋଷ୍ଟ ସୋସିଆଲ ମିଡିଆରେ ତୁରନ୍ତ ଭାଇରାଲ ହେବା ସହିତ ପୁରୀ ସହ ସମଗ୍ର ରାଜ୍ୟରେ ଭୟର ପରିବେଶ ସୃଷ୍ଟି କରିଛି।ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବା କଥା ସ୍ପଷ୍ଟ କରାଯାଇଥିଲା। ଏହି ପରିସ୍ଥିତିରେ ଏପରି ଧମକ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଠୋର କରାଯାଇଛି।
ଶ୍ରୀମନ୍ଦିର ପରିସର, ସିଂହଦ୍ୱାର, ଗ୍ରାଣ୍ଡ ରୋଡ଼ ଓ ଗ୍ରାଣ୍ଡ ସେଣ୍ଟର ଅଞ୍ଚଳରେ ଅତିରିକ୍ତ ପୋଲିସ ଓ ସୁରକ୍ଷା ବଳ ନିଯୁକ୍ତ କରାଯାଇଛି। ଏହି ଫେସବୁକ ଆକାଉଣ୍ଟଟି ସତ୍ୟ କି ନକଲି, ତାହା ନେଇ ତଦନ୍ତ ଆରମ୍ଭ ହୋଇଛି। ସାଇବର ସେଲ୍ ଏବଂ ପୋଲିସ ମିଶି ଆକାଉଣ୍ଟର ଆଇପି ଏଡ୍ରେସ୍, ଲଗଇନ୍ ତଥ୍ୟ ଓ ପୋଷ୍ଟର ଉତ୍ସ ଖୋଜୁଛନ୍ତି।
ସାଧାରଣ ଲୋକଙ୍କୁ ଗୁଜବ ଓ ଭୟଭୀତ କରୁଥିବା ପୋଷ୍ଟକୁ ଶେୟାର୍ ନ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ତଦନ୍ତ ସରିବା ପରେ ସତ୍ୟ ଉଦ୍ଘାଟିତ ହେବ ଏବଂ ଦୋଷୀଙ୍କ ବିରୋଧରେ କଠୋର କାନୁନିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

