ନ୍ୟୁଜ ଡେକ୍ସ : ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ନ୍ୟାୟିକ ତଦନ୍ତ ଦାବିରେ ବିଜେଡିର ରଣହୁଙ୍କାର । ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଲୋୟର ପିଏମ୍ଜିରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବା ବେଳେ ବିଜେଡି କର୍ମୀଙ୍କୁ ଅଟକାଇଲା ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଓରଫ ଡାନି ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଜେଡି ମିଡିଆ ସେଲ୍ ।ତେବେ ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡି ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୋଲିସ୍ ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି ।
ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୋଲିସ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ସହ ପାଣିମାଡ ମଧ୍ୟ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ ଏବଂ ପାଣି ମାଡ କରିଥିବା ଦେଖାଯାଇଛି । ଯେଉଁଥିରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ରହିଛି । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

