Thu. Oct 23rd, 2025

ନ୍ୟୁଜ ଡେକ୍ସ: ପବିତ୍ର ଦିବ୍ୟ, ଭବ୍ୟ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ପହଣ୍ଡି ଲୀଳା କରି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ। ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି। ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଲାଗିଛି।

ମହାପ୍ରଭୁଙ୍କ ପହଣ୍ଡି ଲାଗି ମଙ୍ଗଳବାର ପ୍ରଥମେ କୋଠ ସୁଆସିଆମାନେ ସିଂହାସନରେ ଚାର ମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିଛନ୍ତି। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି। ଏଥିପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍‌ରୁ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ମଙ୍ଗଳର୍ପଣ ସକାଳ ୫.୩୨ ଆରମ୍ଭ ହୋଇଥିଲା ।

ଏହା ପରେ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହେଲା। ସେହିପରି ମା ସୁଭଦ୍ରାଙ୍କ ପହଣ୍ଡି ୬.୬ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ୬.୨୨ ମିନିଟରେ ଆରମ୍ଭ ହୋଇଥିଲା । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ ଅଛନ୍ତି ।

Leave a Reply

Your email address will not be published. Required fields are marked *