ନ୍ୟୁଜ ଡେକ୍ସ: ସ୍ବାମୀଙ୍କୁ ଗଛରେ ବାନ୍ଧି ସୁନାଗହଣା ଲୁଟିବା ପରେ ତାଙ୍କ ସ୍ତ୍ରୀକୁ ହତ୍ୟା କରାଯାଇଛି। ମୃତକ ହେଲେ କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ କୁମାର ଗାନ୍ଧଣା ପଞ୍ଚାୟତ ହାରିଆମୁଣ୍ଡା ଗ୍ରାମର ସାବିତ୍ରୀ ଖରା। ତାଙ୍କ ସ୍ବାମୀ ମହେନ୍ଦ୍ର ଖରା ଗୁରୁତର ଅଛନ୍ତି। ତାଙ୍କୁ ନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସୂଚନା ମୁତାବକ, ଗତକାଲି ମହେନ୍ଦ୍ର ଓ ତାଙ୍କ ସ୍ତ୍ରୀ କୌଣସି କାମରେ ନନ୍ଦପୁର ଯାଇଥିଲେ।
କାମ ସାରି ଘରକୁ ଫେରିବା ବେଳେ ହଣ୍ଡାଲ ତୋଟା ନିକଟରେ କିଛି ଦୁର୍ବୃତ୍ତ ଉଭୟଙ୍କୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ମେହେନ୍ଦ୍ରଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମହେନ୍ଦ୍ରଙ୍କ ସମ୍ମୁଖରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ମହେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା (୨୪)ଙ୍କ କହିବାନୁଯାୟୀ ଗତକାଲି ସେ ସ୍ତ୍ରୀ ସାବି ଖରାଙ୍କ ସହ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ବାଇକରେ ଆସିଥିଲେ |
କାମ ସାରି ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଖୁଡୁବି ଛକ ନିକଟରେ ୫ଜଣ ଦୃର୍ବୃତ୍ତମାନେ ମହେନ୍ଦ୍ରଙ୍କ ବାଇକ୍ ଅଟକାଇବା ସହିତ ଦୁହିଁଙ୍କୁ କାବୁ କରିଥିଲେ । ଏହାପରେ ମହେନ୍ଦ୍ରଙ୍କୁ ମାଡ଼ ମାରିବା ସହ ତାଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ । ତାଙ୍କ ସମ୍ମୁଖରେ ହିଁ ସ୍ତ୍ରୀର ସୁନା ଗହଣା ଲୁଟି ନେବା ପରେ ସ୍ତ୍ରୀକୁ ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଥିଲେ।
ମହେନ୍ଦ୍ରଙ୍କ ପାଟି ଶୁଣି ଜଣେ ପଥଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ସାବିତ୍ରୀଙ୍କୁ ଖୋଜାଖୋଜି କରିଥିଲେ। ଏକ ଲଟାବୁଦା ଭିତରେ ସାବିତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ନନ୍ଦପୁର ପୁଲିସକୁ ଖବର ଦେଇଥିଲେ। ନନ୍ଦପୁର ଥାନା ଅଧିକାରୀ ପାଣ୍ଡବ ଶବର, ସହକାରୀ ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଏଏସଆଇ ଗୁପ୍ତେଶ୍ୱର ଗୌଡ଼ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।