ନ୍ୟୁଜ ଡେକ୍ସ: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ପ୍ରସବ କଲେ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା। ଖବର ପାଇ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ପୋଲିସ। ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଛାତ୍ରୀଙ୍କ ଅଭିଭାବକ।
ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ଝିଅ ଚିତ୍ରକୋଣ୍ଡା ଏସ.ଏସ.ଡି ଉଚ୍ଚ ବାଳିକା ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲା। ଗତକାଲି ଇଂରାଜୀ ପରୀକ୍ଷା ଦେଇଥିଲା। ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ। ଖବର ଶୁଣି ତୁରନ୍ତ କିଛି ଗାଁ ଲୋକଙ୍କୁ ଧରି ସେ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ। ଏ ବିଷୟରେ ପଚାରିବାରୁ ଝିଅ ଏକ ସନ୍ତାନ ପ୍ରସବ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମେଡ଼ିକାଲରେ ପହଞ୍ଚି ପରିବାର ଲୋକେ ଝିଅ ଓ ଛୁଆକୁ ଦେଖିଥିଲେ। ତେବେ ଛାତ୍ରୀଙ୍କ ବାପା ପୁଣି କହିଛନ୍ତି ଯେ, ଆଜିକୁ ବର୍ଷେ ହେବ ଝିଅ ଘରକୁ ଯାଇନାହିଁ। ଏ ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାର ସହ କୌଣସି ଆଲୋଚନା କରିନାହିଁ।
ଏହି ଘଟଣା ସମ୍ପର୍କରେ ସ୍କୁଲ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷାକଙ୍କୁ ପଚାରିବାରୁ ମୁଁ ଏହି ସଂପର୍କରେ ଅବଗତ ନାହଁ ବୋଲି କହିଛନ୍ତି। ତେବେ ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ କେମିତି ଗର୍ଭବତୀ ହେଲେ ବିଦ୍ୟାଳୟର ହଷ୍ଟେଲ ପରିସରରେ ଏକ ସନ୍ତାନ ପ୍ରସବ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
