ନ୍ୟୁଜ ଡେକ୍ସ: ପଦ୍ମଶ୍ରୀ-୨୦୨୩ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର ଆବେଦନକାରୀ ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣାର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଅଦାଲତରେ ବ୍ୟକ୍ତିଗତ ଉପସ୍ଥିତ ହୋଇ ଜବାବ ଦାଖଲ କରିଛନ୍ତି । ବିଭିନ୍ନ ରେକର୍ଡପତ୍ର ମଧ୍ୟ ଦାଖଲ କରିଛନ୍ତି । କିନ୍ତୁ ପଦ୍ମଶ୍ରୀ ସମ୍ମାନ ପାଇଥିବା ଢେଙ୍କାନାଳର ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର ନିଜେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖିବାକୁ ଆବେଦନ କରିଥିଲେ ।
ଉଭୟଙ୍କୁ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରତିପକ୍ଷ ୨୦୨୩ ର ପଦ୍ମଶ୍ରୀ ଗ୍ରହଣ କରିଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାଁନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ହାଜର ହୋଇ ପାରିନଥିବା ଦର୍ଶାଇଛନ୍ତି। ଏହା ସହିତ ପରେ ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି।ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୨୩ରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ଏହାକୁ ବିରୋଧ କରି ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣାର ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସେ ହିଁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ତାଙ୍କ ନାମଧାରୀ ଅନ୍ୟ ଜଣେ ଏହି ସମ୍ମାନ ହାତେଇ ନେଇଛନ୍ତି ବୋଲି ଆବେଦନକାରୀ ଅଦାଲତଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହାଇକୋର୍ଟ ଗତ ୧୧ ତାରିଖରେ ମାମଲାର ପ୍ରାଥମିକ ଶୁଣାଣି କରି ସରକାରଙ୍କୁ ନୋଟିସ୍ କରିବା ସହ ଉଭୟପକ୍ଷଙ୍କୁ ଆଜି ଅର୍ଥାତ୍ ୨୪ ତାରିଖ ଅପରାହ୍ଣ ୨ଟାରେ ଅଦାଲତରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତା ପୂର୍ବରୁ ପ୍ରତିପକ୍ଷ ନିଜର ସାହିତ୍ୟ କୃତୀ ଦର୍ଶାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଛି। ସୂଚନାଥାଉକି, ଆବେଦନକାରୀ ଶ୍ରୀ ମିଶ୍ର ପିଟିସନ୍ରେ ଅଭିଯୋଗ କରିଛନ୍ତି ଯେ ସେ ଜଣେ ଡାକ୍ତର ଏବଂ ଲେଖକ । ଓଡ଼ିଆ ଏବଂ ଅନ୍ୟ ଭାଷାରେ ସେ ୨୯ଟି ପୁସ୍ତକ ଲେଖିଛନ୍ତି । ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ଲାଗି ତାଙ୍କୁ ମନୋନୀତ କରାଯାଇଥିଲା । ୨୦୨୩ ମସିହା ପାଇଁ ତାଙ୍କ ନାମ ପଦ୍ମଶ୍ରୀ ଲାଗି ଘୋଷଣା ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କ ନାମରେ ଅନ୍ୟ ଜଣେ ବ୍ୟକ୍ତି ପଦ୍ମଶ୍ରୀ ହାତେଇଛନ୍ତି । ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ି ଏହି ମାମଲା ରୁଜୁ କରିଛନ୍ତି ।
