ନ୍ୟୁଜ ଡେକ୍ସ : ହାଇଦ୍ରାବାଦରେ ଆଜି ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ ଆୟୋଜିତ ହେଉଛି। ଓଡ଼ିଶାରେ ନୂତନ ପୁଞ୍ଜି ନିବେଶ ଆକର୍ଷଣ ଏବଂ ଶିଳ୍ପ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ହାଇଦ୍ରାବାଦ ଗସ୍ତରେ ପହଞ୍ଚିଛନ୍ତି।ଓଡ଼ିଶା ନିବେଶକ ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟ ପାଇଁ ବଡ଼ ସଫଳତା ମିଳିଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ହିଁ ୩୮,୭୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ମିଳିଛି। ଏହା ସହ ୧୯,୨୦୦ କୋଟି ଟଙ୍କାର ୭ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି।ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ଶିଳ୍ପପତିମାନଙ୍କ ସହ ୧୫ଟି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏଥିରେ ଫାର୍ମା, ସ୍ୱାସ୍ଥ୍ୟ ଉପକରଣ, ଗ୍ରୀନ୍ ଏନର୍ଜି, ଅଟୋମୋବାଇଲ୍ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବଡ଼ ବଡ଼ ଶିଳ୍ପପତିମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରେ ନିବେଶ ସମ୍ଭାବନା, ଶିଳ୍ପନୀତି ଓ ରାଜ୍ୟ ସରକାରଙ୍କ ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ସ୍ୱାକ୍ଷରିତ MoU ମାଧ୍ୟମରେ ଓଡ଼ିଶାରେ ପ୍ରାୟ ୨୦ ହଜାର ୨ ଶହରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଦୁଇ ଦିନିଆ ଏହି ରୋଡ୍ ଶୋ ଓ ନିବେଶକ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାର ଶିଳ୍ପ କ୍ଷମତାକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବା ସହ ନୂଆ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା।ରୋଡ୍ ଶୋର ଆଗାମୀ ଦିନରେ ଆହୁରି ଅନେକ ବଡ଼ ନିବେଶ ପ୍ରସ୍ତାବ ଆସିବାର ଆଶା ପ୍ରକାଶ ପାଇଛି, ଯାହା ଓଡ଼ିଶାର ଅର୍ଥନୀତି ଓ ଶିଳ୍ପ ବିକାଶକୁ ଏକ ନୂଆ ଦିଗ ଦେବ।

