ନ୍ୟୁଜ ଡେକ୍ସ : ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଦ୍ରାବାଦସ୍ଥିତ ବିଶ୍ୱବିଖ୍ୟାତ ‘ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି’ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମହାନ ଦାର୍ଶନିକ, ସନ୍ଥ ଓ ସମାଜ ସଂସ୍କାରକ ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଗସ୍ତ ସମୟରେ ପ୍ରତିନିଧିମଣ୍ଡଳୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନା ଶ୍ରୀମନ୍ତ ନାରାୟଣ ରାମାନୁଜ ଜିୟାର ସ୍ବାମୀଜୀଙ୍କୁ ଭେଟିଥିଲେ।
ଏହି ଭେଟରେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ଅନ୍ତର୍ଭୁକ୍ତ ଦର୍ଶନ ଓ ସମସାମୟିକ ସମାଜରେ ରାମାନୁଜାଚାର୍ଯ୍ୟଙ୍କ ଶିକ୍ଷାର ପ୍ରାସଙ୍ଗିକତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ବାମୀଜୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଓଡିଶାବାସୀଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତ୍ରିଦଣ୍ଡି ଅହୋବିଲା ରାମାନୁଜ ଜିୟାର ସ୍ବାମୀଜୀଙ୍କ ଦ୍ବାରା ରଚିତ ଏବଂ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ଆଧାରିତ ଓଡିଆ ଭଜନକୁ ଉନ୍ମୋଚନ କରିଥିଲେ।
ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି’ କେବଳ ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ନୁହେଁ, ବରଂ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିପାଦିତ ସାମାଜିକ ନ୍ୟାୟ, ସମାନତା ଓ ମାନବିକ ମର୍ଯ୍ୟାଦାର କାଳଜୟୀ ମୂଲ୍ୟବୋଧକୁ ସ୍ମରଣ କରାଏ। ଏହି ମୂଲ୍ୟବୋଧ ଓଡିଶାର ବିକାଶ, ସାମାଜିକ ସମନ୍ବୟ ଏବଂ ଲୋକକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଆଗାମୀ ଦିନରେ ମାର୍ଗଦର୍ଶନ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।

