Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଚାଲିଛି ଭୟଙ୍କର ଶୀତର ଆତଙ୍କ। ଉପକୂଳରୁ ଉପାନ୍ତ—ସମଗ୍ର ଓଡ଼ିଶା ଏବେ ହାଡ଼ଭଙ୍ଗା ଥଣ୍ଡାରେ ଥରୁଛି। ବିଶେଷକରି ମୟୂରଭଞ୍ଜ ଜିଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଏବେ ସାରା ରାଜ୍ୟରେ ସବୁଠାରୁ ଅଧିକ ଶୀତର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ପାରଦ ଐତିହାସିକ ଭାବେ ତଳକୁ ଖସି ମାଇନସ ୧ ଡିଗ୍ରୀ ସେଲସିଅସରେ ପହଞ୍ଚିଛି, ଯାହା ଗତ ୧୩ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି।

ସୂଚନାଅନୁସାରେ, ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଶିମିଳିପାଳର ଉପରବାରହାକାମୁଡା ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ପରେ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ତଳକୁ ଖସି ମାଇନସ ୧ ଡିଗ୍ରୀକୁ ଛୁଇଁଛି। ଏପରି ଅସାଧାରଣ ଶୀତ ଶିମିଳିପାଳ ଇତିହାସରେ ବିରଳ ବୋଲି କୁହାଯାଉଛି।ଏହା ସହିତ ସୁନ୍ଦରଗଡ଼ ଜିଲାର ରାଉରକେଲା ଏବେ ଦେଶର ଚତୁର୍ଥ ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଛି, ଯାହା ସାଧାରଣ ଜନଜୀବନକୁ ଭୟଙ୍କର ଭାବେ ପ୍ରଭାବିତ କରିଛି। ଅନ୍ୟପଟେ ସୁନ୍ଦରଗଡ଼ ଜିଲାର କୋଇଡା ଅଞ୍ଚଳରେ ଚଳିତ ବର୍ଷର ତୃତୀୟ ଦିନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି।

ପୂର୍ବ ରାତ୍ରିରେ ତାପମାତ୍ରା ୩ ଡିଗ୍ରୀ ସେଲସିଅସ ତଳେ ରହିବା ପରେ ଅଞ୍ଚଳର ଖୋଲା ପଡ଼ିଆ, ଗାଡ଼ିର ଉପର ଭାଗ, ଘାସ ଓ ଫସଲ ଉପରେ ବରଫର ଧଳା ଚାଦର ଢାଙ୍କି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ସକାଳେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି।ହାଡ଼ଭଙ୍ଗା ଶୀତର ପ୍ରଭାବରେ ଶିମିଳିପାଳ ସଂଲଗ୍ନ ଜନବସତି ସହ ସମଗ୍ର ମୟୂରଭଞ୍ଜ ଜିଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅତ୍ୟଧିକ ତଳକୁ ଖସିଛି।

ଚହଲା ଓ ଗୁଡୁଗୁଡିଆରେ ୨ ଡିଗ୍ରୀ, ବରେହିପାଣିରେ ୫ ଡିଗ୍ରୀ, ରାମତୀର୍ଥ ଓ ସାତକୋଶିଆରେ ୯ ଡିଗ୍ରୀ ଏବଂ କିଆଝରୀରେ ୧୦ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।ଜିଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ରହୁଥିବାରୁ ଶୀତର ପ୍ରକୋପ ଅସହ୍ୟ ହୋଇପଡ଼ିଛି। ରାଜ୍ୟରେ ଆଗାମୀ କିଛି ଦିନ ଶୀତ ଆହୁରି ବଢ଼ିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *