ନ୍ୟୁଜ ଡେକ୍ସ: ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଉପର ମୁଣ୍ଡରେ ପାଣିର ପରିମାଣ ବୃଦ୍ଧି ପାଇଛି । ଯାହାକୁ ନେଇ ଆଜି ସମ୍ବଲପୁର ହୀରାକୁଦ ଗେଟ ଖୋଲିଛି । ହୀରାକୁଦ ଡ୍ୟାମରୁ ଚଳିତ ମୌସୁମୀର ପ୍ରଥମ ବନ୍ୟଜଳ ନିଷ୍କାସନ କରାଯାଇଛି । ସକାଳ 10ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦ ଡ୍ୟାମର ବାମପାର୍ଶ୍ଵର 7 ନମ୍ବର ସ୍ଲୁଇସ ଗେଟ ଖୋଲା ଯାଇଛି । ଏହା ପରେ ପର୍ଯ୍ୟାୟ କ୍ରମରେ ମୋଟ 20ଟି ଗେଟ ଖୋଲାଯାଉଛି ।
ବର୍ତ୍ତମାନ ଡ୍ୟାମକୁ ୨, ୭୪, ୫୦୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବଳେ, ଡ୍ୟାମରୁ ୧, ୭୮, ୫୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ୨ ଦିନ ତଳେ ଡାକବାଜି ଯନ୍ତ୍ର ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା। ପାଣି ଛାଡ଼ିବା ପୂର୍ବରୁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଥିଲା । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୧୦.୧୭ ଫୁଟ୍ ରହିଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ, ହୀରାକୁଦ ଗେଟ ଖୋଲାଯିବା ସମୟରେ ମହାନଦୀରେ ନ ପଶିବା ପାଇଁ ବାରଣ କରାଯାଇଛି ।
ଅପର ପକ୍ଷରେ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି, “ଝାରସୁଗୁଡା ଓ କୁଚିଣ୍ଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେଣୁ ହୀରାକୁଦର ଜଳସ୍ତର ଅଧିକ ବୃଦ୍ଧି ପାଇଛି । ଜୁଲାଇ ଶେଷ ସୁଦ୍ଧା କର୍ଭ ରୁଲ ଅନୁଯାୟୀ ହୀରାକୁଦର ଜଳସ୍ତର 605 ଫୁଟ ରହିବା ଆବଶ୍ୟକ ଅଟେ । ମାତ୍ର ଆଜି ଜଳସ୍ତର 610 ପାଖା ପାଖି ରହିଛି । ତେଣୁ ପ୍ରଥମ ଥର ପାଇଁ ବନ୍ୟାଜଳର ନିଷ୍କାସନ କରାଯାଇଛି ।”
