Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ପ୍ରମୁଖ ଆର୍ଦ୍ରଭୂମି ସ୍ଥାନଗୁଡ଼ିକରେ ପ୍ରବାସୀ ଓ ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ବାର୍ଷିକ ପକ୍ଷୀ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ସହ ଚିଲିକା ହ୍ରଦ, ନଳବଣ, ମଙ୍ଗଳାଯୋଡି, ଭିତରକନିକା ଜାତୀୟ ଉଦ୍ୟାନ ଓ ନନ୍ଦନକାନନ ଭଳି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମିଗୁଡ଼ିକରେ ମଙ୍ଗଳବାର ଦିନ ଠାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି।ପ୍ରତିବର୍ଷ ଶୀତ ଋତୁରେ ବିଭିନ୍ନ ଦେଶ ଓ ଅଞ୍ଚଳରୁ ଲକ୍ଷାଧିକ ପ୍ରବାସୀ ପକ୍ଷୀ ଓଡ଼ିଶାର ଆର୍ଦ୍ରଭୂମିଗୁଡ଼ିକୁ ଆସନ୍ତି।

ଏହି ପକ୍ଷୀମାନଙ୍କ ଆଗମନ ପରିବେଶୀୟ ସମତୁଳନ ଓ ଜୀବବୈବିଧ୍ୟର ସ୍ଥିତିକୁ ଅନୁମାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ପ୍ରତିବର୍ଷ ଏହି ସମୟରେ ବିଭାଗୀୟ କର୍ମଚାରୀ, ପକ୍ଷୀ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ବିସ୍ତୃତ ପକ୍ଷୀ ଗଣନା କରାଯାଏ। ହୀରାକୁଦ ଜଳଭଣ୍ଡାର ରାଜ୍ୟର ସବୁଠାରୁ ବଡ଼ ମିଠା ପାଣିର ଜଳାଶୟ ହେବା ସହ ପ୍ରବାସୀ ପକ୍ଷୀଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର। ଏଠାରେ ପ୍ରତିବର୍ଷ ହଜାର ହଜାର ପକ୍ଷୀ ଆସି ଶୀତକାଳ ବିତାନ୍ତି। ଏହି କାରଣରୁ ହୀରାକୁଦରେ ପକ୍ଷୀ ଗଣନାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୂଚନା ଅନୁଯାୟୀ, ପ୍ରଥମେ ପ୍ରାଥମିକ ସର୍ବେକ୍ଷଣ ଓ ତଥ୍ୟ ସଂଗ୍ରହ କରାଯିବ।

ଏହା ପରେ ବିସ୍ତୃତ ମୂଲ୍ୟାଙ୍କନ ଓ ଗଣନା ସମାପ୍ତ କରି ଆସନ୍ତା ଜାନୁଆରୀ ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ଚୂଡ଼ାନ୍ତ ସଂଖ୍ୟା ଆକଳନ କରାଯିବ।ଚିଲିକା ହ୍ରଦ, ମଙ୍ଗଳାଯୋଡି ଓ ନଳବଣ ଅଞ୍ଚଳରେ ମଧ୍ୟ ପକ୍ଷୀ ଗଣନା ସମୟରେ ଅନେକ ପ୍ରଜାତିର ଦୁର୍ଲଭ ଓ ପ୍ରବାସୀ ପକ୍ଷୀ ଦେଖିବାକୁ ମିଳୁଛି। ଭିତରକନିକା ଓ ନନ୍ଦନକାନନରେ ମଧ୍ୟ ସ୍ଥାନୀୟ ସହ ପ୍ରବାସୀ ପକ୍ଷୀଙ୍କ ଉପସ୍ଥିତି ନୋଟ କରାଯାଉଛି।

ବନ ବିଭାଗର କହିବା ଅନୁଯାୟୀ, ଏହି ପକ୍ଷୀ ଗଣନା ମାଧ୍ୟମରେ କେବଳ ପକ୍ଷୀଙ୍କ ସଂଖ୍ୟା ନୁହେଁ, ବରଂ ଆର୍ଦ୍ରଭୂମିର ସ୍ୱାସ୍ଥ୍ୟ, ପରିବେଶୀୟ ସ୍ଥିତି ଓ ସଂରକ୍ଷଣ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥାଏ। ଏହି ତଥ୍ୟ ଆଧାରରେ ଆଗାମୀ ଦିନରେ ପକ୍ଷୀ ସଂରକ୍ଷଣ ଓ ଆର୍ଦ୍ରଭୂମି ସୁରକ୍ଷା ପାଇଁ ନୀତି ଓ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *