ନ୍ୟୁଜ ଡେକ୍ସ : ଓଡ଼ିଶାର ଲୋକପ୍ରିୟ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁକୁ ୧୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିବାଦ ଥମିବାର ନାମ ନେଉନାହିଁ। ଏବେ ପୁଣି ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କ ନାଁରେ ଏତଲା ହୋଇଛି। କଟକର ଏକ ସାମାଜିକ ସଂଗଠନ ଦିନେଶଙ୍କ ବିରୁଦ୍ଧରେ କଟକ ମହିଳା ଥାନାରେ ଅଭିଯୋଗ ଦାଖଲ କରିଛି।ଅଭିଯୋଗ ଅନୁସାରେ, ହ୍ୟୁମାନ ସାଗରଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ଦିନେଶଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣାଯାଇଛି।
ଏହା ସହିତ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ସ୍ୱାଧୀନ ଓ ସମ୍ପୂର୍ଣ୍ଣ ତଦନ୍ତ ଦାବି କରିଛି ସଂଗଠନ।ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଏହା ପୂର୍ବରୁ ମଧ୍ୟ ଦିନେଶ ବେହେରାଙ୍କ ବିରୁଦ୍ଧରେ ବଲାଙ୍ଗୀର ଟାଉନ ଥାନା, ଟିଟିଲାଗଡ଼ ଥାନା ଏବଂ ଯାଜପୁର ଥାନାରେ ସମାନ ଧରଣର ଅଭିଯୋଗ ହୋଇସାରିଛି। ଏହା ସହ ହ୍ୟୁମାନ ସାଗର ନିଜ କାର୍ଯ୍ୟଦ୍ୱାରା ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି।
ବରିଷ୍ଠ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ପ୍ରଶ୍ନ ଉଠାଇଛନ୍ତି ଓ ସତ୍ୟ ବାହାରକୁ ଆଣିବା ପାଇଁ ପୁଲିସ ପକ୍ଷରୁ ନ୍ୟାୟସଂଗତ ତଦନ୍ତ ଦାବି କରିଛନ୍ତି।ଏହି ଘଟଣା ଏବେ ସରା ଓଡ଼ିଶାରେ ଆଲୋଚନାର ବିଷୟ ହୋଇଥିବାବେଳେ, ଆସନ୍ତା ଦିନରେ ପୁଲିସର ତଦନ୍ତ କେଉଁ ଦିଗକୁ ଆଗେଇବ, ସେ ନେଇ ସମସ୍ତଙ୍କ ନଜର ରହିଛି।

